ବିଜେଡି ନେତାଙ୍କ ଘରେ ED ରେଡ୍, ମନରେ ଛନକା…

ବ୍ରହ୍ମପୁର,୧୬।୧(ସୁବାସ ଚନ୍ଦ୍ର ପାଢ଼ୀ): ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବଡ ଧରଣର ଚଢାଉ ଜାରି ରହିଛି ।  ୧୫ଜଣିଆ ଟିମ ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଏକ କାଳୀନ ଚଢାଉ ଜାରି ରଖିଛନ୍ତି ।  ଇଡିର ୫ ରୁ ଅଧିକ ଦଳ ଗଞ୍ଜାମର ବ୍ରହ୍ମପୁର ସହର, ଶେରଗଡ଼ ଓ ଆସିକା ଅଞ୍ଚଳରେ ରେଡ୍ କରାଯାଉଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ସେହିପରି ବ୍ରହ୍ମପୁର ଅମ୍ବିକା ନଗରରେ ରହୁଥିବା ତାଙ୍କ ପୁଅ ସଚିନ ପାଢୀଙ୍କ ଘରେ ତନାଘନା ଜାରି ରହିଛି ।

ହୃଷୀକେଶ ଓ ତାଙ୍କ ପୁଅ ଜଣାଶୁଣା ଠିକାଦାର। ଶେରଗଡରେ ବିଜେଡି ସଂଗଠନର ମଙ୍ଗ ଧରିଥିବା କୁହାଯାଉଛି । ସେହିପରି ଆସିକା ବ୍ଲକ ଖାରିଆ ସରପଞ୍ଚ ଓ  ତାଙ୍କ ସ୍ୱାମୀ ଜଣାଶୁଣା ମଦ ଓ ବାଲି ବ୍ୟବସୟୀ ଭଗବାନ ସାହୁଙ୍କ ବାସଭବନ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି । ସେହିପରି ବ୍ରହ୍ମପୁର ଲାଞ୍ଜିପଲ୍ଲି ଉମାନଗର ଅଞ୍ଚଳରେ ଥିବା ଗଞ୍ଜାମର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଛି।  ଆଜିର ଏହି ଚଢଉ ସମ୍ପର୍କରେ ଇଡି ପକ୍ଷରୁ କୌଣସି ତଥ୍ୟ ଦେବାକୁ ମନା କରାଯାଇଛି । ତେବେ ବାଲି ବ୍ୟବସାୟ ଓ ବଡ଼ ଧରଣର ଆର୍ଥିକ କାରବାରର ଲିଙ୍କକୁ ନେଇ ଏହି ଚଢଉ କରାଯାଇଥିବା ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily