ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ ଦେଇ ମୁଖ୍ୟ ଫଟାକରୁ ଇକୋ ରିଟ୍ରିଟ୍ ପରିସରକୁ ଆସିଥିଲା। ପୂର୍ବରୁ ସେଠାରେ ରହିଥିବା ଇକୋ ରିଟ୍ରିଟ୍ର କର୍ମଚାରୀ ତଥା ରୋଷେୟା କର୍ମଚାରୀଙ୍କ ସମେତ ସୁରକ୍ଷାକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଆଁ ଲାଗିଲେ କିଭଳି ତାକୁ ଲିଭାଇବାକୁ ପଦକ୍ଷେପ ନେବେ ଓ ନିଆଁ ଲିଭାଇବାକୁ ରଖାଯାଇଥିବା ଯନ୍ତ୍ରପାତି ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା। ବିଶେଷକରି ପର୍ଯ୍ୟଟକ ରହୁଥିବା ତମ୍ବୁର ସୁରକ୍ଷା ସହ ରୋଷେଇ ଶାଳରେ ନିଆଁ ଦାଉରୁ ରକ୍ଷା ପାଇଁ ବିଭିନ୍ନ କୌଶଳକୁ ଅଗ୍ନିଶମ ବିଭାଗର ଅଧିକାରୀ ଚିତ୍ତରଞ୍ଜନ ସାହୁ ସଚେତନ କରିଥିଲେ।