କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥର ଓ୍ବେଲ୍ଫେୟାର, ସମ୍ବଲପୁର ସମେତ ଖୋର୍ଦ୍ଧା ମଣ୍ଡର ବିଭିନ୍ନ କର୍ମୀଦଳ ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ରେଳଚାଳକ, ସହଚାଳକ ଓ ଟ୍ରେନ୍ ପରିଚାଳକମାନେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ନେତୃତ୍ୱରେ ଅନଶନରେ ବସିଛନ୍ତି। ଏହାକୁ ଅଖିଳ ଭାରତୀୟ ରେଲଚାଳକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି।
ସୂଚନାରୁ ପ୍ରକାଶ ଯେ, ୧୨୦କିଲୋମିଟର ଦୈନିକ ମାଇଲେଜ ଭତ୍ତା ପ୍ରଦାନ, ରେଳ ଚାଳକଙ୍କ ୯ଘଣ୍ଟା କାର୍ଯ୍ୟ ସମୟ ଲାଗୁ, ବେନିୟମ ଭାବରେ କାର୍ଯ୍ୟ ସମୟକୁ କାଟିଦେବା, ଦୁଇ ରାତି ଡ୍ୟୁଟି କଲାପରେ ରାତ୍ରି ବିଶ୍ରାମ ଦେବା, ରେଳ ଚାଳକଙ୍କୁ ୩୬ ଘଣ୍ଟା ଭିତରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା, ରେଳ ବୋର୍ଡର ନିୟମ ଅନୁଯାୟୀ ରନିଂ ରୁମ୍ ଖୋଲିବା, ଟ୍ରାଙ୍ଗୁଲାର କାର୍ଯ୍ୟ ଶୈଳୀକୁ ବନ୍ଦ କରିବା, ଗାର୍ଡ ବ୍ରେକ୍ ଭ୍ୟାନର ଉପଯୁକ୍ତ ମରାମତି, ସମସ୍ତ ରେଳ ଇଞ୍ଜିନରେ ଏସି ଲଗାଇବା ସହିତ ଖରାପ ଏସିଗୁଡିକର ତୁରନ୍ତ ମରାମତି କରିବା, ଇଞ୍ଜିନରେ ଟୁଲ ବକ୍ସ ଓ ଲାଇନ ବକ୍ସର ବ୍ୟବସ୍ଥା କରିବା ଆଦି ୧୧ଦଫା ଦାବି ନେଇ ରେଳ ଚାଳକ ଓ ରେଳ ପରିଚାଳକମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। ମାତ୍ର ରେଳ ପ୍ରଶାସନ ସର୍ବଦା ଏହାକୁ ଅଣଦେଖା କରି ଆସୁଅଛି। ଏହାର ପ୍ରତିବାଦରେ ଆଜିଠାରୁ ଖୋର୍ଦ୍ଧା, ପାରାଦୀପ, ତାଳଚେର, ଜଖପୁରା ପ୍ରଭୃତି ସ୍ଥାନ ସମେତ କେନ୍ଦୁଝରଗଡ଼ରେ କାର୍ଯ୍ୟରତ ରେଳଚାଳକ, ସହଚାଳକ ଓ ରେଳ ପରିଚାଳକମାନେ ଅନଶନରେ ବସିଛନ୍ତି। ଜୋନ୍ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ଧର୍ମଘଟରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ସାହୁ ନେତୃତ୍ୱ ନେଉଥିବା ବେଳେ ମଣ୍ଡଳ ସ୍ତରରେ ଭଞ୍ଜ, କେନ୍ଦୁଝରରେ ଆଶିଷ କୁମାର ମହାନ୍ତ ପ୍ରମୁଖ ନେତୃତ୍ୱ ନେଉଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଚକା ବନ୍ଦ କରାଯିବ ବୋଲି ସଂଗଠନ ତରଫରୁ ରେଳ ପ୍ରଶାସକଙ୍କୁ ଚେତାବନୀ ଦିଆଯାଇଛି।