ପତିତପାବନ ବାନା ଉପରେ ବସିଲା ଚିଲ, ମହାପ୍ରଭୁଙ୍କ ବଡ଼ ସଂଙ୍କେତ ନା ଆଉକିଛି!

ପୁରୀ,୨ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏକ ଚିଲ କିଛି ସମୟ ଧରି ବସିଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ଶୁଣିବାକୁ ମିଳୁଛି। ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ୁଥିଲା। କିଛି ସମୟ ବୁଲିବା ପରେ ଚିଲଟି ପତିତପାବନ ବାନା ଉପରେ ବସିଥିଲା। ପ୍ରାୟ ୫ ମିନିଟ ଧରି ବସିବା ପରେ ପୁଣି ଉଡ଼ିଯାଇଥିଲା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି। ଆସନ୍ତା ୭ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାବେଳେ ତା’ର କିଛିଦିନ ପୂର୍ବରୁ ପତିତପାବନ ବାନା ଉପରେ ଚିଲ ବସିବା ଯୋଗୁ ଆଗକୁ କିଛି ଅଶୁଭ ସଙ୍କେତ ଦେଖାଯାଇପାରେ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଚଳିତ ବର୍ଷ ଏପ୍ରଲିରେ ପତିତପାବନ ବାନା ନେଇ ଚିଲ ଉଡୁଥିବା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିବା ନଜିର ମଧ୍ୟ ରହିଛି।

Share
Tags: odishaPuri