୨୦ ଲକ୍ଷ କରିନାହାନ୍ତି ଇ- କେଓ୍ବାଇସି, କାଟି ଦିଆଯିବ ରାଶନ କାର୍ଡ: ମନ୍ତ୍ରୀ

ଭୁବନେଶ୍ୱର,୬ା୬(ସୁନିତ୍‌ ମିଶ୍ର): ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ଏ ଯାଏଁ ଇ-କେଓ୍ବାଇସି କରିନାହାନ୍ତି। ଯେଉଁମାନେ ଜୁନ୍‌ ଶେଷ ସୁଦ୍ଧା ଇ-କେଓ୍ବାଇସି ନ କରିଥିବେ ସେମାନଙ୍କ ରାଶନ କାର୍ଡ କାଟି ଦିଆଯିବ। ପ୍ରାୟ ୫ ପ୍ରତିଶତ ଲୋକ ବର୍ତ୍ତମାନ ସୁଦ୍ଧା ଇ-କେଓ୍ବାଇସି କରିନାହାନ୍ତି। ସେମାନଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ କାର୍ଡ ଦେଇଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଲୋକସେବା ଭବନଠାରେ ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ପାତ୍ର କହିଛନ୍ତି, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାଶନ କାର୍ଡ ଦିଆଯାଇ ନ ଥିଲା। ରାଜ୍ୟରେ ଭାଜପା ସରକାର ଆସିବା ପରେ ୧୭ ଲକ୍ଷ ନୂଆ ଆବେଦନକାରୀ ରାଶନ କାର୍ଡ ପାଇଁ ଆବେଦନ କରିଥିଲେ। ଏହି ଲୋକମାନଙ୍କ ମଧ୍ୟରୁ କିଏ ୪ ବର୍ଷ ଆଉ କେହି ୭ ବର୍ଷ ହେବ ଆବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୬ ଲକ୍ଷ ହିତାଧିକାରୀଙ୍କ ପାଇଁ ରାଶନ କାର୍ଡ ଦେବା ନେଇ ଅନୁମୋଦନ କରିଛନ୍ତି। ଏହାପରେ ଆହୁରି ୧୫ ଲକ୍ଷ ରାଶନ କାର୍ଡ ପାଇଁ ମଧ୍ୟ ଅନୁମୋଦନ ମିଳିସାରିଛି। ଇ-କେଓ୍ବାଇସି ବ୍ୟବସ୍ଥା ଜୋର୍‌ଦାର ଚାଲିଛି। ୯୫ ପ୍ରତିଶତ ଲୋକ ରାଜ୍ୟରୁ ଇ-କେଓ୍ବାଇସି କରିସାରିଲେଣି। ଆଉ ୫ ପ୍ରତିଶତ ଲୋକଙ୍କ ଇ-କେଓ୍ବାଇସି ହୋଇପାରି ନାହିଁ। ରାଜ୍ୟର ପ୍ରାୟ ୨୨ ଲକ୍ଷ ଲୋକ ଏଯାଏଁ ଇ-କେଓ୍ବାଇସି କରିନାହାନ୍ତି। ଜୁନ୍‌ ସୁଦ୍ଧା ଇ-କେଓ୍ବାଇସି ପ୍ରକ୍ରିୟା ଶେଷ ହୋଇଯିବ। ଏହାପରେ ଆହୁରି ୨୦ ଲକ୍ଷ ଲୋକ ବଳିଯିବେ। ସେଗୁଡିକୁ ରାଜ୍ୟ ସରକାର ରଦ୍ଦ କରିଦେବେ। ଯେଉଁ ୨୦ ଲକ୍ଷ ଲୋକଙ୍କ ରାଶନ କାର୍ଡ ରଦ୍ଦ କରାଯିବ ସେହି ଜାଗାରେ ଆଉ ନୂଆ ଲୋକଙ୍କୁ ଦିଆଯିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

Share