ଭୋଗରାଇ, ୩।୧୦ ( ପ୍ରଦୀପ ଦାସ ): ଲଘୁଚାପ ଯୋଗୁ ବାଲେଶ୍ୱର ଜିଲାରେ ଗୁରୁବାର ସକାଳୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଶାରଦୀୟ ଦଶହରା ଉତ୍ସବ ଫିକା ପଡିଛି । ବହୁ ପୂଜାମଣ୍ଡପରେ ପାଣି ଜମା ରହିବାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଥିବାବେଳେ ଶେଷ ମୁହୂର୍ତ୍ତରେ ଶ୍ରଦ୍ଧାଳୁମାନେ ପ୍ରତିମା ଦର୍ଶନ କରିନପାରି ନିରାଶ ହୋଇଛନ୍ତି । ଶୁକ୍ରବାର ସକାଳ ୮ଟା ସୁଦ୍ଧା ଜିଲାରେ ବର୍ଷାର ପରିମାଣ ୬୪୯ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଅପର ପକ୍ଷରେ ବହୁ ତଳିଆ ଗ୍ରାମରାସ୍ତାରେ ଆଣ୍ଠୁଏ ଉପରକୁ ପାଣି ଜମାରହି ସ୍ଥିତି ବିଗାଡି ଦେଇଛି । ଅନେକ ଲୋକଙ୍କ ଘରେ ଓ ଚୁଲିରେ ବର୍ଷାପାଣି ପଶିଯାଇ ଥିବାରୁ ରୋଷେଇ ବାସ ପାଇଁ ନାନା ସମସ୍ୟା ଉପୁଜିଛି । ଅବିଶ୍ରାନ୍ତ ବର୍ଷାରେ ଗାଁ ଦାଣ୍ଡ ବୁଡ଼ିଯାଇ ପାଣିର ସ୍ରୋତ ଛୁଟୁଥିବାବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି l ସାର୍ବଜନୀନ ପୂଜାମଣ୍ଡପ ରେ ପ୍ରତିମା ନିରଞ୍ଜନ ହେବାରେ ବିଳମ୍ବ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଉମାଙ୍କ କୈଳାସପୁରୀ ଫେରିବାରେ ବର୍ଷା ବିତ୍ପାତ ସବୁଠି ଉତ୍ସବ ପ୍ରେମୀଙ୍କୁ ନିରାଶ କରିଛି ।