ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଟ୍ବିନ୍ ସିଟିରେ ଛାଇଗଲେଣି ନିଶା ବେପାରୀ। ପ୍ରତିବର୍ଷ ଗିରଫ ହେଉଥିବା ନିଶା ବ୍ୟବସାୟୀଙ୍କ ସଂଖ୍ୟା ଏବଂ ମାମଲା ରୁଜୁର ତଥ୍ୟକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଯୁବପିଢ଼ିଙ୍କୁ ଟାର୍ଗେଟ କରି ସହରର ଗଳିକନ୍ଦିରେ ନିଶା ବିକ୍ରି କରାଯାଉଥିବା ଜଣାପଡ଼ିଛି। ଶନିବାର କମିଶନରେଟ୍ ପୋଲିସ ପକ୍ଷରୁ ୩ ବର୍ଷର ଏନ୍ଡିପିଏସ୍ ତଥ୍ୟ ପ୍ରକାଶ ପାଇଛି। ତଥ୍ୟ ଅନୁସାରେ, ୩ ବର୍ଷ(୨୦୨୩-୨୦୨୫)ରେ ସମୁଦାୟ ୪୬୦ ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବା ବେଳେ ୯୪୫ ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି। ୩ ବର୍ଷରେ ୧୨.୮୭୯ କେଜି ବ୍ରାଉନ୍ସୁଗାର, ୧୫୬ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ଏବଂ ୨,୬୩୧.୪୦୩ ଲିଟର କଫ୍ ସିରପ ଜବତ କରାଯାଇଛି। କେବଳ ସ୍ପେଶାଲ କ୍ରାଇମ୍ ୟୁନିଟ୍ ୩ ବର୍ଷରେ ୩୦ଟି ମାମଲା ରୁଜୁ କରିବା ସହ ୮୪ ଜଣଙ୍କୁ ଗିରଫ କରାଯାଇଛି।
ତଥ୍ୟ ଅନୁସାରେ, ୨୦୨୩ରେ ସର୍ବାଧିକ ଟ୍ବିନ୍ ସିଟିର ବିଭିନ୍ନ ଥାନାରେ ୧୭୦ଟି ମାମଲା ରୁଜୁ ହୋଇଥିବା ବେଳେ ୩୬୩ ନିଶା ବେପାରୀ ଗିରଫ ହୋଇଥିଲେ। ସେହି ବର୍ଷ ୩ କେଜି ୭୭୫ ଗ୍ରାମର ବ୍ରାଉନ୍ସୁଗାର ଜବତ କରାଯାଇଥିବାବେଳେ ୩୧.୫୯କୁଇଣ୍ଟାଲ ଗଞ୍ଜେଇ ଏବଂ ୫୯୬ ଲିଟର କଫ୍ ସିରପ ଜବତ କରାଯାଇଥିଲା। ୨୦୨୪ରେ ୧୫୮ଟି ମାମଲା ରୁଜୁ ହୋଇଥିବା ବେଳେ ୩୧୮ଜଣ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ୪.୧୩୮ କେଜି ବ୍ରାଉନ୍ସୁଗାର, ୧୦୩.୮୩ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୬୯.୩୦୩ ଲିଟର କଫ୍ ସିରପ ଜବତ କରାଯାଇଛି। ସେହିପରି ୨୦୨୫ରେ ୧୩୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୬୪ ଜଣଙ୍କୁ ଗିରଫ କରାଯାଇଥିଲା। ନିଶା ବେପାରୀଙ୍କଠାରୁ ୪.୧୯୪ କେଜି ବ୍ରାଉନ୍ସୁଗାର, ୨୦.୮୪ କୁଇଣ୍ଟାଲ ଗଞ୍ଜେଇ ଏବଂ ୧୮୬୬.୧ ଲିଟର କଫ୍ ସିରପ ଜବତ କରାଯାଇଥିଲା।