ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ

ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୩ା୨ା୨୦୨୬ରେ ହୋଇଥିବା ବୈଠକରେ ଏକ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁସଚିବ ଆରତି ମଲ୍ଲିକ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିବାକୁ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ଏବଂ ଚିଫ୍‌ ଇଞ୍ଜିନିୟରଙ୍କୁ ୭ା୨ା୨୦୨୬ରେ ଚିଠି ଲେଖିଛନ୍ତି।
ଆନ୍ତଃରାଜ୍ୟ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଓଡ଼ିଶାରେ ଉପତ୍ତ୍ତି ହୋଇଥିବା ବୈତରଣୀ, ବୁଢାବଳଙ୍ଗ ଓ ଋଷିକୁଲ୍ୟା ସହ ଏହାର ଶାଖାନଦୀଗୁଡ଼ିକ ସମୁଦ୍ରରେ ମିଶିଛନ୍ତି। ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେଉଥିବା ନଦୀଜଳର ୧୨ ଗୁଣ ଅଧିକ ଜଳ ଶିଳ୍ପ ପାଇଁ ବ୍ୟବହୃତ ହେଉଛି। ଏଠାରେ ବ୍ରାହ୍ମଣୀ, ବୈତରଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ନଦୀଜଳ ଉପରେ ନିର୍ଭର କରି ଯାଜପୁର ଜିଲାରେ ୧୦ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପ କାରଖାନା ଗଢ଼ିଉଠିଛି। ଏହି ନଦୀଗୁଡ଼ିକରୁ ବର୍ଷକୁ ଜଳସେଚନ ପାଇଁ ୩୯୫୧.୫୧ ବିସିଏମ୍‌, ଲୋକଙ୍କ ପାଇଁ ଜଳଯୋଗାଣ କ୍ଷେତ୍ରରେ ୮୨.୩୦ ବିସିଏମ୍‌, ଶିଳ୍ପ ପାଇଁ ୧୦୫୫.୯୫ ବିସିଏମ୍‌ ଓ ପର୍ଯ୍ୟାବରଣ ପାଇଁ ୪୭୨୨.୭୦ ବିସିଏମ୍‌ ଜଳ ଆବଶ୍ୟକ ହୁଏ। ଏଭଳି ପରିସ୍ଥିତି ସାରା ରାଜ୍ୟରେ ଦେଖାଦେଉଥିବାରୁ ଖରାଦିନେ ଲୋକଙ୍କୁ ଜଳକ୍ଳିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି। ଏବେ ଭୂତଳ ଜଳକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଛି। କେଉଁ କମ୍ପାନୀ କେତେ ପରିମାଣର ଭୂତଳ ଜଳ ବ୍ୟବହାର କରୁଛି, ତା’ର ଠିକ୍‌ ତଥ୍ୟ ପ୍ରଶାସନ ପାଖରେ ଖୋଜିଲେ ବି ମିଳୁନି। ତଥାପି କେହିବି ଏହି ଗୁରୁତର ସମସ୍ୟାର ପ୍ରତିକାର ପାଇଁ ଚେଷ୍ଟା କରୁ ନ ଥିବା ଭଳି ମନେହେଉଛି। କିନ୍ତୁ ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ବର୍ଷ ବର୍ଷ ଧରି ଜଳସମ୍ପଦର ଉପଯୋଗ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି, ତଥାପି କୃଷି, ଶିଳ୍ପ ଏବଂ ଲୋକଙ୍କ ଚାହିଦାକୁ ନେଇ ଦୀର୍ଘକାଳୀନ ଜଳ ସୁରକ୍ଷା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ ବୋଲି ଦର୍ଶାଯାଇଛି।
ଓଡ଼ିଶାରେ ବର୍ତ୍ତମାନ ବାର୍ଷିକ ପ୍ରାୟ ୩୩.୬୧ ବିସିଏମ୍‌ ଜଳ ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଅର୍ଥନୈତିକ ପ୍ରସାର, ଜନସଂଖ୍ୟା ବୃଦ୍ଧି ଏବଂ ଶିଳ୍ପାୟନ ପାଇଁ ଏହି ଚାହିଦା ଆଗାମୀ ଦିନରେ ପ୍ରାୟ ଦୁଇଗୁଣ ହେବ ବୋଲି ଆକଳନ କରାଯାଇଛି, ଯାହା ୫୫ ରୁ ୬୨ ବିସିଏମ୍‌ ମଧ୍ୟରେ ପହଞ୍ଚିବ। ଏହାର ସମାଧାନ ପାଇଁ ଆଧୁନିକ ଜଳସେଚନ ପ୍ରଣାଳୀ, ଶିଳ୍ପ ଜଳ ପୁନଃ ବ୍ୟବହାର, ବିକଳ୍ପ ଜଳ ଉତ୍ସର ବିକାଶ, ଜଳଛାୟା ପରିଚାଳନା, ଭୂପୃଷ୍ଠ ଜଳ ଭଣ୍ଡାରର ପ୍ରସାରଣ, ବର୍ଷା ଜଳ ଅମଳ ଇତ୍ୟାଦି ଜରୁରୀ। ରାଜ୍ୟର କୃଷି ଉତ୍ପାଦନର ଏକ ବଡ଼ ଅଂଶ ମୌସୁମୀ ଉପରେ ନିର୍ଭର କରେ, ଯାହା ଜଳବାୟୁ ପରିବର୍ତ୍ତନ ଯୋଗୁ କ୍ରମଶଃ ଅନିଶ୍ଚିତ ହୋଇପଡୁଛି। ସ୍ବାଭାବିକ ବର୍ଷାରେ ବିଚ୍ୟୁତି ଯୋଗୁ ମରୁଡ଼ି କିମ୍ବା ବନ୍ୟା ସୃଷ୍ଟି ହେଉଛି, ଯାହା କୃଷି, ପାନୀୟ ଜଳ ଏବଂ ଶିଳ୍ପକୁ ବହୁଳ ପ୍ରଭାବିତ କରୁଛି। ସମୁଦ୍ର ଉପକୂଳ ରାଜ୍ୟ ଭାବରେ ଓଡ଼ିଶା ଭାରତର ତୃତୀୟ ସର୍ବାଧିକ ଜଳବାୟୁ ସମ୍ବେଦନଶୀଳ ଅଞ୍ଚଳ ଭାବରେ ସ୍ଥାନ ପାଇଛି, ଯେଉଁଠାରେ ପ୍ରାୟତଃ ଅତି ଖରାପ ପାଣିପାଗ ଘଟଣାମାନ ଘଟୁଛି। ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟ ୧୮ଟି ବଡ଼ ବନ୍ୟା, ୧୧ ବର୍ଷ ମରୁଡି ଏବଂ ୧୨ଟି ଘୂର୍ଣ୍ଣିଝଡ଼ ସହ୍ୟ କରିଛି, ଯାହା ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା ସହ ଜଳ ସୁରକ୍ଷାକୁ ଗୁରୁତର ପ୍ରଭାବିତ କରିଛି। ଯାଜପୁର ଜିଲା ପରିବେଶ ସମିତିର ସମ୍ପାଦକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ନଦୀକୂଳରେ ସଭ୍ୟତାର ଆରମ୍ଭ ହୋଇଥିଲା। ହେଲେ ନଦୀଜଳ ଆବଶ୍ୟକ ପରିଚାଳନା ଅଭାବରୁ ପ୍ରଦୂଷିତ ହେବା ସହିତ ଜଳପ୍ରବାହ କ୍ରମଶଃ କ୍ଷୀଣ ହେବାରେ ଲାଗିଛି। ଏହା ପରିବେଶ ପ୍ରତି ବହୁ ବିପଦ ସୃଷ୍ଟି କରିଛି। ଏଥିପାଇଁ ସରକାର ଗୁରୁତ୍ୱର ସହ ଆବଶ୍ୟକ ପଦକ୍ଷେପ ନେବାର ସମୟ ଉପନୀତ ହୋଇଛି।

Dharitri – Odisha’s No.1 Odia Daily

Share