ଭୁବନେଶ୍ୱର,୨୦ା୨: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍ ଆଉଟ୍। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ ପିଲା ପାଠ ଛାଡ଼ିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ଯଥାକ୍ରମେ ୧୨.୫ % ଝିଅ, ୧୭.୩ % ପୁଅ ପାଠ ଛାଡ଼ିଛନ୍ତି।
ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ଡ୍ରପ ଆଉଟ୍ ହୋଇଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭% ପିଲା ପାଠପଢ଼ା ଛାଡ଼ିଛନ୍ତି।
ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷର ବଜେଟ ଉପସ୍ଥାପନ ହେବାକୁ ରହିଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆସନ୍ତା ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଣ୍ଡପିଛା ଆୟ ବଢ଼ିବା ନେଇ ଏକ ସବୁଜ ସଙ୍କେତ ଦେଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ମୂଲ୍ୟରେ ଓଡ଼ିଶାର ଅର୍ଥନୀତିର ଆକାର (ଜିଏସ୍ଡିପି) ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯% ରହିବା ନେଇ ଆକଳନ କରାଯାଇଛି, ଯାହା ୨୦୨୪-୨୫ର ୭.୨% ବୃଦ୍ଧି ହାରଠାରୁ ଅଧିକ ରହିଛି। ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪%ଠାରୁ ଅଧିକ। ୨୦୨୫-୨୬ରେ ସମସ୍ତ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ହାର ଦେଖାଯାଇଛି ଏବଂ ରାଜ୍ୟରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବାରୁ ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟ ଦ୍ରୁତ୍ ଆର୍ଥିକ ବୃଦ୍ଧି ପାଇଁ ପ୍ରସ୍ତୁତ ରହିଥିବା ଜଣାଯାଇଛି। ତେବେ ବର୍ତ୍ତମାନର ମୂଲ୍ୟରେ ମୁଣ୍ଡପିଛା ଆୟ ୨୦୧୫-୧୬ ତୁଳନାରେ ୨୦୨୫-୨୬ରେ ଓଡ଼ିଶାର ବାର୍ଷିକ ମୁଣ୍ଡପିଛା ଆୟ ୧ଲକ୍ଷ ୮୬ହଜାର ୭୬୧ଟଙ୍କା ରହିଥିବାବେଳେ ସର୍ବଭାରତୀୟସ୍ତରରେ ୨ଲକ୍ଷ ୧୯ହଜାର ୫୭୫ଟଙ୍କା ଆକଳନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।