ପୁରୀ, ୧୨/୯: ନିଷିଦ୍ଧ ଉଡ଼ାନ ଅଞ୍ଚଳ ଘୋଷିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଉପରେ ଗୁରୁବାର ସନ୍ଧ୍ୟାକାଳୀନରେ ଆଉ ଏକ ଡ୍ରୋନ୍ ଉଡ଼ିବା ଦେଖାଯାଇଛି। ଯାହା ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ଗମ୍ଭୀର ଚିନ୍ତାର ବିଷୟ ହୋଇଛି।
ସୂଚନା ମୁତାବକୁ ଦେଖିବାକୁ ମିଳିଥିଲା ଯେ, ବାଲିସାହି ପଟୁରୁ ଆସି ଡ୍ରୋନ୍ଟି ମନ୍ଦିର ଆଖପାଖରେ ଘୂରିବା ପରେ ସମସ୍ତଙ୍କ ଆଗରୁ ଅଦୃଶ୍ୟ ହୋଇଯାଇଥିଲା। ଏହାର ଭିଡିଓ ସାମାଜିକ ମାଧ୍ୟମରେ ଭାଇରାଲ୍ ହୋଇଯାଇଛି, ଯାହା ମନ୍ଦିରର ସୁରକ୍ଷାକୁ ନେଇ ଅଧିକ ଚିନ୍ତା ସୃଷ୍ଟି କରିଛି।
ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଉପରେ ନିଷିଦ୍ଧ ଉଡ଼ାନ ଅଞ୍ଚଳ ଘୋଷଣା କରାଯାଇଛି। କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟିବା ସ୍ଥାନୀୟ ଲୋକମାନଙ୍କୁ ଚିନ୍ତିତ କରିଛି। କିଛିଦିନ ତଳେ କେହି ଜଣେ ଗୋପନୀୟ କ୍ୟାମେରାରେ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ଭାଗର ଫଟୋ ଓ ଭିଡିଓ ଉଠାଇବା ଘଟଣାର କିଛି ଘଣ୍ଟା ପରେ ଘଟିଥିବାରୁ ଭକ୍ତମାନେ ଓ ପୁରୀର ସ୍ଥାନୀୟ ବାସିନ୍ଦାମାନେ ଗମ୍ଭୀର ଅସୁରକ୍ଷିତ ଅବସ୍ଥା ପ୍ରକାଶ କରିଛନ୍ତି। ସେମାନେ ପୋଲିସଙ୍କୁ ଡ୍ରୋନ୍ଟିକୁ ଖୋଜିବାକୁ, ଜବତ କରିବାକୁ ଏବଂ ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିମାନଙ୍କୁ ଧରିବାକୁ ଅନୁରୋଧ କରିଛନ୍ତି।