ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍‌, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video

ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା  ବିଭାଗ ଓ  ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍‌ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ଡ୍ରୋନର ଅପରେଟର କହିଛନ୍ତି ।
ସୂଚନାନୁଯାୟୀ, ପାକିସ୍ତାନ ବିରୋଧରେ ଲାଗି ରହିଥିବା ଉତ୍ତେଜନାରେ ବିରାମ ଲାଗିଥିଲେ ହେଁ ଅପରେଶନ ସିନ୍ଦୂର ଏବେ ବି ଜାରି ରହିଥିବାରୁ ସତର୍କ ଓ ସଜାଗ ରହିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ପଡୋଶୀ ବାଂଲାଦେଶରେ ଅନ୍ତରିଣ ସରକାର ପାକିସ୍ତାନର ଆତଙ୍କବାଦୀକୁ ଆଶ୍ରୟ ଦେଉଥିବାର ଭାରତୀୟ ଗୋଇନ୍ଦା ସଂସ୍ଥା ଜାଣିବାପରେ ପଶ୍ଚିମବଙ୍ଗ ସଂଲଗ୍ନ ସୀମାନ୍ତ ଏବଂ  ବଙ୍ଗୋପସାଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ଉପକୂଳରୁ ବାଂଲାଦେଶକୁ ଜଳପଥ ଆଧୁନିକ ଜଳଯାନରେ ଦୂରତ୍ୱ ୪ ରୁ ୫ ଘଣ୍ଟା ଲାଗୁଥିବାବେଳେ ସୁରକ୍ଷାବ୍ୟବସ୍ଥାର ଗୁରୁତ୍ୱ ବଢିଛି। ଏଭଳି ସ୍ଥିତିରେ ବଙ୍ଗୋପସାଗରରେ ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକୁ ନଜର ରଖିବା ନିମନ୍ତେ ପାରାଦୀପ ଓ ହଳଦିଆ ତଟରକ୍ଷୀ ବାହିନୀ ମିଳିତ ଭାବେ ସାମରିକ ଅଭିଯାନ ଜାରି ରଖିଥିବାବେଳେ ଆକାଶ ମାର୍ଗକୁ ଛଡ଼ାଯାଇଥିବା ଡ୍ରୋନ ବିଶେଷଭାବେ ନଜରଦାରୀ ବଢ଼ା ଯାଇଛି। ତାଳସାରୀ ମେରାଇନ ଥାନାକୁ ଆସିଥିବା ଏହି ଡ୍ରୋନକୁ ପରିଚାଳିତ କରିବାପାଇଁ ୩ ଜଣ ପ୍ରଶିକ୍ଷକ କେନ୍ଦ୍ରରୁ ଆସିଥିବା ବେଳେ ମେରାଇନ ଥାନାର ପୋଲିସ  ମିଳିତଭାବେ ୨୪ ଘଣ୍ଟିଆ ତଲାସୀ ଅଭିଯାନ ଜାରିରହିଛି ବୋଲି ମେରାଇନଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ସୂଚନା ଦେଇଛନ୍ତି।