ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ‘ହରିହର’ ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଛତ୍ରପୁର କଲେଜ ଛକ ନିକଟରେ ପୋଲିସ ପକ୍ଷରୁ ଚାଲିଥିବା ନିୟମିତ ଗାଡ଼ି ଯାଞ୍ଚ ସମୟରେ ଏହି ବସ୍ଟିକୁ ଅଟକାଯାଇଥିଲା। ବ୍ରେଥ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଛନ୍ତି।
ବସରେ ୩୦ରୁ ଅଧିକ ଯାତ୍ରୀ ବସିଥିଲେ, ଯେଉଁମାନଙ୍କ ଜୀବନକୁ ଚାଳକ ବିପଦରେ ପକାଇଥିଲେ। ପୋଲିସ ପକ୍ଷରୁ ଗାଡ଼ି ଉପରେ ୧୦ ହଜାର ୫ ଶହ ଟଙ୍କା ଫାଇନ୍ କଟାଯାଇଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (DL) କୁ ସସପେଣ୍ଡ କରାଯାଇଛି। ବସଟିକୁ ଜବତ କରି ଛତ୍ରପୁର ଥାନାରେ ଅଟକ ରଖାଯାଇଥିବା ବେଳେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଛି।
ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ସ୍ପେଶାଲ ଚେକିଂ ଜାରି ରହିଛି। ଜଣେ ଗାଡ଼ି ଚାଳକଙ୍କ ଭୁଲ ପାଇଁ ଅନେକ ନିରୀହ ଜୀବନ ବିପଦରେ ପଡ଼ୁଥିବାରୁ, ଏଭଳି ବେପରୁଆ କାର୍ଯ୍ୟକୁ ଯାତ୍ରୀମାନେ ନିନ୍ଦା କରିବା ସହ ପୋଲିସର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ପୋଲିସ ପକ୍ଷରୁ ଆଗକୁ ଏହି ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily