ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ମୁଖ୍ୟ ବଜାରରେ ଡ୍ରେନ୍ ଜାମ୍ ହୋଇ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଫଳରେ ବର୍ଷାଜଳ ମୁଖ୍ୟ ପିଚୁ ରାସ୍ତା ଉପରେ ଯାଉଥିବା ବେଳେ ଅଳିଆ ଆବର୍ଜନା, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ ବୋତଲ, ପଲିଥିନ ସବୁ ରାସ୍ତା ଉପରେ ଭାସୁଛି। ସେପଟେ ଡ୍ରେନ୍ରେ ମଧ୍ୟ ଅଳିଆ ଭର୍ତ୍ତି ହୋଇ ଦୁର୍ଗନ୍ଧରେ ନାକ ଫାଟୁଛି ବଜାରକୁ ଆସୁଥିବା ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଡ୍ରେନ୍ ଭିତରେ ପୋକ ସାଲୁବାଲୁ ହେଉଛି ଫଳରେ ଦୁର୍ଗନ୍ଧ ଦ୍ବିଗୁଣିତ ହେଉଛି। ମାଛ କଟା ହେବା ପରେ ହେଉ କି ହୋଟେଲଗୁଡ଼ିକରୁ ବାହାରୁଥିବା ଅଇଁଠା ଠୁଙ୍ଗା, ଖଲିପତ୍ର ଆଦି ଡ୍ରେନକୁ ଚୋକ କରୁଛି ଯିଏ ଯେଉଁଠି ଅଳିଆ ବାହାର କରି ଆଣି ଡ୍ରେନ୍ରେ ପକାଉଛନ୍ତି। ଫଳରେ ଡ୍ରେନରେ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ।
ପ୍ରକାଶ ଯେ, ଦାରିଙ୍ଗବାଡ଼ିଠାରୁ ଗଜପତି ଜିଲାର ପାଣିଗଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଛି ଗତ ବର୍ଷ ବିଭାଗ ପକ୍ଷରୁ ରାସ୍ତା ସହ ରାସ୍ତାର ଦୁଇ ସାଇଡ୍ରେ ଡ୍ରେନେଜ ବ୍ୟବସ୍ଥା କଲା କିନ୍ତୁ ଡ୍ରେନ୍ ଉପରେ ଢାଙ୍କୁଣୀ ବା ପ୍ଲେଟ୍ ପକାଇବା ବିଳମ୍ବ ଯୋଗୁ କିଛି ବ୍ୟବସାୟୀ ନିଜ ହାତରୁ ଡ୍ରେନ୍ ଉପରେ ଛାତ ପକାଇଥିଲେ। ଯାହାକି ଏବେ ଡ୍ରେନ୍କୁ ଜାମ୍ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ଡ୍ରେନ୍କୁ ପଞ୍ଚାୟତ କିମ୍ବା ପୂର୍ତ୍ତ ବିଭାଗ ପକ୍ଷରୁ ସଫେଇ କରାଯାଉନାହିଁ ଫଳରେ ଏବେ ଡ୍ରେନ୍ର କେବଳ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ଅଭିଯୋଗ ହେଉଛି। ଆହୁରି ଏକାଧିକ ସ୍ଥାନରେ ଡ୍ରେନ୍ ଉପରେ ଢାଙ୍କୁଣୀ ବା ପ୍ଲେଟ୍ ପକାଯାଇ ନ ଥିବାରୁ ସମସ୍ୟା ଦ୍ବିଗୁଣିତ ହୋଇଛି ।