ଡା.ଦେବେନ୍ଦ୍ର ପ୍ରଧାନ: ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଞ୍ଚୁଥିଲେ

ସନ୍ଥ କବି ଭୀମ ଭୋଇଙ୍କ ଦ୍ବାରା ଲିଖିତ ଏହି ବାଣୀକୁ ଦିବଂଗତ ସମାଜସେବୀ ତଥା କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ ନିଜ ଜୀବନର ବ୍ରତ କରି ନେଇଥିଲେ। ନିଜକୁ ସମାଜସେବା ପାଇଁ ସମର୍ପି ଦେଇଥିଲେ। ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଞ୍ଚୁଥିଲେ। ସଦାସର୍ବଦା ସମାଜର ହିତ କଥା ଭାବୁଥିଲେ ଏବଂ ଏହାକୁ ସାକାର କରିବା ଲାଗି କାର୍ଯ୍ୟ କରୁଥିଲେ। ନମ୍ରତା, ଆତ୍ମୀୟତା, ସ୍ନେହ ଓ ଭଲପାଇବାରେ ସମସ୍ତଙ୍କୁ ଆପଣାର କରି ନେଉଥିବା ଏହି ଦରଦୀ ମଣିଷ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ କୋଟି କୋଟି ଲୋକଙ୍କୁ ସେ ବଡ଼ ବାର୍ତ୍ତା ଦେଇଯାଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥଠାରୁ ଊଦ୍ଧର୍‌ବରେ ରହି ମା’, ମାଟି ଏବଂ ଜନତାଙ୍କ ସେବା କରିବାକୁ ପ୍ରେରଣା ଦେଇ ଚାଲି ଯାଇଛନ୍ତି। ସେ ସଂକଳ୍ପରୁ ସିଦ୍ଧିର ବାର୍ତ୍ତା ଦେଇ ଯାଇଛନ୍ତି। ‘ସବ୍‌କା ସାଥ୍‌ ସବ୍‌କା ବିକାଶ’କୁ ପାଥେୟ କରି ସମସ୍ତଙ୍କୁ ସାଥିରେ ନେଇ କିଭଳି ଆଗକୁ ବଢ଼ିହେବ, ତାହାର ନିଚ୍ଛକ ଉଦାହରଣ ସେ ବହୁ ପୂର୍ବରୁ ସୃଷ୍ଟି କରିଯାଇଛନ୍ତି। ସୀମିତ ସମ୍ବଳର ସଦୁପଯୋଗ କରି ଦୃଢ଼ ନିଷ୍ଠା ଓ ଇଚ୍ଛାଶକ୍ତି ଦ୍ୱାରା ସଫଳତା ପାଇବାର ମାର୍ଗ ଦେଖାଇ ଯାଇଛନ୍ତି। ସରଳ, ନିଷ୍କପଟ, ମିଷ୍ଟଭାଷୀ ସ୍ବର୍ଗତ ପ୍ରଧାନ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଇହଧାମ ତ୍ୟାଗ କରିଛନ୍ତି। ଦେଶ ଏବଂ ରାଜ୍ୟ ଜଣେ ମହାନ୍‌ ବ୍ୟକ୍ତିତ୍ୱ, ନିର୍ବିବାଦୀୟ ନେତା, ମହାମନୀଷୀ, ଯୁଗପୁରୁଷଙ୍କୁ ହରାଇ ଶୋକରେ ବୁଡ଼ି ରହିଛି।
୧୯୮୦ ମସିହାରେ ରାଜନୈତିକ କ୍ୟାରିୟର ଆରମ୍ଭ କରି ମଣ୍ଡଳ ସଭାପତିରୁ କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା କରିଥିବା ଏହି ରାଷ୍ଟ୍ରବାଦୀ ମଣିଷ ଓଡ଼ିଶା ପାଇଁ ଛାଡ଼ି ଯାଇଛନ୍ତି ଅସୁମାରି ସ୍ବପ୍ନ, ଆକାଂକ୍ଷା ଓ ଅଭିଳାଷ। ଓଡ଼ିଶା ରାଜପଥ ବିକାଶର ଏହି ଅଗ୍ରଦୂତ ଆମ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଯାଇଛନ୍ତି। ଦଳଗତ ସୀମା ଭିତରେ ଆବଦ୍ଧ ନ ରହି ସାମୂହିକ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରିବାକୁ ଏହି ନିଷ୍ଠାପର ଜନସେବକ ପ୍ରେରଣା ଦେଇଯାଇଛନ୍ତି। ୧୯୪୧ ଜୁଲାଇ ୧୬ରେ ଜନ୍ମିତ ଦିବଂଗତ ପ୍ରଧାନଙ୍କ ପ୍ରଚେଷ୍ଟା, ତ୍ୟାଗ, ନିଷ୍ଠାପର ଉଦ୍ୟମ ଯୋଗୁ ଆଜି ରାଜ୍ୟ ଏବଂ ଦେଶରେ ଭାଜପା ସରକାର ଗଠନ କରିପାରିଛି। ସେ ଥିଲେ ରାଜ୍ୟ ଭାଜପାର ପ୍ରମୁଖ ବିନ୍ଧାଣି। ଯେଉଁ ସମୟରେ ରାଜ୍ୟରେ ଦଳର କୌଣସି ସ୍ଥିତି ନ ଥିଲା, ସେତେବେଳେ ସେ ଦଳକୁ ମଜଭୁତ କରିବା ପାଇଁ ଲାଗି ପଡ଼ିଥିଲେ। ସେ ଭାଜପାର ଯେଉଁ ବୀଜ ବପନ କରିଥିଲେ, ଆଜି ତାହା ଦେଶ ଏବଂ ରାଜ୍ୟରେ ବିରାଟ ଦ୍ରୁମରେ ପରିଣତ ହୋଇଛି। ଏହି ଦଳ ଜନସେବାକୁ ବ୍ରତ କରି ଦେଶର ବିକାଶକୁ ଆଗେଇ ନେଉଛି।
ବାପା ଦେବେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶକୁ ପାଥେୟ କରି ତାଙ୍କ ସୁପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟ କରୁଛନ୍ତି। ବାପାଙ୍କ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ଅନବରତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଦେଶରେ ଶିକ୍ଷାର ବିକାଶକୁ ନୂତନ ଶିଖରରେ ପହଞ୍ଚାଇ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଏହି କ୍ରମରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସ୍ବପ୍ନକୁ ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି।
ଜଣେ ମେଧାବୀ ଛାତ୍ର ଭାବେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କଲା ପରେ ଡାକ୍ତର ଭାବେ ଯୋଗ ଦେଇଥିବା ଏହି ମହାନ୍‌ ଜନନାୟକ ଡ. ଦେବେନ୍ଦ୍ର ପ୍ରଧାନ ଜନସେବା ପାଇଁ ସରକାରୀ ଚାକିରି ଛାଡ଼ିଥିଲେ। ସେ ନିର୍ଦ୍ଦିଷ୍ଟ ସୀମା ଭିତରେ ଆବଦ୍ଧ ନ ରହି ଘରୋଇ ଚିକିତ୍ସା ଆରମ୍ଭ କରି ମାଗଣାରେ ରୋଗୀ ଦେଖୁଥିଲେ। ସମାଜର ବିକାଶ ପାଇଁ ସେ ଭାଜପାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେବା ପାଇଁ ଲୋକଙ୍କ ହୃଦୟ ଜିଣିଥିବା ଏହି ଜନସେବକ ୧୯୮୦ ଜାନୁଆରୀ ୧୦ରେ ଭାଜପାରେ ସାମିଲ ହୋଇଥିଲେ। ନିର୍ଦ୍ଦିଷ୍ଟ ନୀତି ଏବଂ ଆଦର୍ଶରେ ପରିଚାଳିତ ହୋଇ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେଥିରେ ଅଟଳ ରହିଥିଲେ। ସେ ଗଁା ଗଁା, ଘର ଘର ବୁଲି ଭାଜପାକୁ ମଜଭୁତ କରିଥିଲେ। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ପଦ୍ମ ଫୁଟିଥିଲା। ସେ ତିନି ତିନି ଥର ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଥିଲେ। କୌଣସି ସୀମା ଭିତରେ ଆବଦ୍ଧ ନ ରହି ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ନିଜ ବାଣୀ ଦ୍ବାରା ଶତ୍ରୁକୁ ବି ବଶୀଭୂତ କରିପାରୁଥିଲେ। ସମସ୍ତଙ୍କ ପାଇଁ ସବୁବେଳେ ନିଜ ଦ୍ବାର ଖୋଲା ରଖିଥିଲେ। ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତୀକରଣର ଅଗ୍ରଦୂତ ସାଜିଥିଲେ।
ଦିବଂଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ମାଲକାନଗିରି ଉପ-ନିର୍ବାଚନରେ ଦଳକୁ ବିଜୟୀ କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। କୁଶଳ ରଣନୀତି, ଉତ୍ତମ ପରିଚାଳନା, ନେତୃତ୍ୱ ଦକ୍ଷତା, ନିଜ ବ୍ୟବହାର ଏବଂ ସେବା ମନୋବୃତ୍ତି ଦ୍ବାରା ଲୋକଙ୍କୁ ପ୍ରଭାବିତ କରିଥିଲେ। ଡା. ପ୍ରଧାନଙ୍କ ଆହ୍ବାନରେ ଅନେକ ନେତା ଭାଜପାରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକ ଆଜି ଦଳର ମଙ୍ଗ ଧରିଛନ୍ତି। ଏହି ନେତାମାନେ ଡା. ପ୍ରଧାନଙ୍କୁ ମନେପକାଇ ଭାବବିହ୍ବଳ ହୋଇ ଯାଉଛନ୍ତି। ବିରୋଧୀମାନେ ମଧ୍ୟ ଡା. ପ୍ରଧାନଙ୍କ ପ୍ରଶଂସାରେ ଶତମୁଖ। ସେ ଥିଲେ ରାଜନୀତିର ଅଜାତଶତ୍ରୁ, କୌଣସି ପଦ ପଦବୀର ଆଶା ନ ରଖି କାମ କରିଥିବା ମହାପୁରୁଷ।
ଓଡ଼ିଶା ପ୍ରତି ଡା. ପ୍ରଧାନଙ୍କ ଅବଦାନକୁ କେହି କେବେ ଭୁଲିପାରିବେ ନାହିଁ। କେନ୍ଦ୍ରମନ୍ତ୍ରୀ ଭାବେ ସେ ଓଡ଼ିଶା ପାଇଁ ଯାହା କରିଯାଇଛନ୍ତି, ତାହା ଚିରକାଳ ପାଇଁ ମନେରହିବ। ସେ ୧୯୯୮ରେ ପ୍ରଥମ ଥର ପାଇଁ ଦେବଗଡ଼ ଲୋକ ସଭା ଆସନରୁ ସାଂସଦ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ପରିବହନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଦିବଂଗତ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେ ଅଦ୍ବିତୀୟ ଯୋଗଦାନ ଦେଇଥିଲେ। ସେ ବାଜପେୟୀଙ୍କ ବିଶ୍ବାସକୁ ବଜାୟ ରଖି ଦେଶର ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା ଏବଂ ଗ୍ରାମ ଅର୍ଥନୀତିକୁ ସୁଦୃଢ଼ କରିବାର ଗୁରୁ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ସ୍ବର୍ଣ୍ଣ ଚତୁର୍ଭୁଜ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ହିଁ ତାଙ୍କ ଦୂରଦର୍ଶିତାର ପରିଣାମ। ତାଙ୍କ ସମୟରେ ହିଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ସେ ୧୯୯୯ରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇ ଭୂପୃଷ୍ଠ ପରିବହନ ସହ କୃଷି ବିଭାଗ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ସେ ଦାୟିତ୍ୱ ଗ୍ରହଣ କରିବା ପରେ ସବୁ ରାଜ୍ୟ ରାଜପଥକୁ ଜାତୀୟ ରାଜପଥ ଘୋଷଣା କରିବାକୁ କହିଥିଲେ। ସେ ସଡ଼କ ନିର୍ମାଣର ବିନ୍ଧାଣି ଥିଲେ। ଯୋଗାଯୋଗ ବ୍ୟବସ୍ଥାକୁ ମଜଭୁତ କରିବା ଦ୍ବାରା ଦେଶର ପ୍ରକୃତ ବିକାଶ ହୋଇପାରିବ ବୋଲି ସେ ହୃଦ୍‌ବୋଧ କରି ଏ ଦିଗରେ ଦିନରାତି କାମ କରିଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ପ୍ରଧାନ ନିଜ କାର୍ଯ୍ୟକାଳରେ ଓଡ଼ିଶାର ଗମନାଗମନ ଏବଂ ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଚଣ୍ଡିଖୋଲଠାରୁ କନକତାରା ରାଜପଥ ହେଉ ଅବା ପାଣିକୋଇଲିରୁ ରାଜମୁଣ୍ଡା ଏବଂ ବୋରିଗୁମାରୁ ବରଗଡ଼ ହେଉ, କି ଭୁବନେଶ୍ବରରୁ ପୁରୀ ଏନ୍‌ଏଚ୍‌ ସବୁ ଦିବଂଗତ ପ୍ରଧାନଙ୍କ ଉଦ୍ୟମରେ ସଫଳ ହୋଇପାରିଥିଲା। ୧୯୯୮ ପର୍ଯ୍ୟନ୍ତ ଓଡ଼ିଶାରେ ମାତ୍ର ୧୬୦୦ କି.ମି.ର ଏନ୍‌ଏଚ୍‌ ଥିଲା। ମାତ୍ର ଡା. ପ୍ରଧାନଙ୍କ ଉଦ୍ୟମରେ ସୀମିତ ସମୟ ମଧ୍ୟରେ ଏହା ଆଉ ୧୬୦୦ କି.ମି.କୁ ବୃଦ୍ଧି ପାଇଥିଲା। ତାଙ୍କ ଅମଳରେ ସର୍ବାଧିକ ଏବଂ ସର୍ବଶ୍ରେଷ୍ଠ ରାଜପଥ ନିର୍ମାଣ ହୋଇଥିଲା। କେବଳ ସେତିକି ନୁହେଁ, କୃଷି ବିଶ୍ବବିଦ୍ୟାଳୟର ପରିକଳ୍ପନା ସେ ହିଁ କରିଥିଲେ। ଦେଶ ଏବଂ ରାଜ୍ୟ ବିକାଶର ପ୍ରମୁଖ ବିନ୍ଧାଣି ସାଜିଥିବା ଏଭଳି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଆଜି ସମସ୍ତେ ଝୁରୁଛନ୍ତି। ଡା. ପ୍ରଧାନଙ୍କ ଜୀବନୀକୁ ଆଦର୍ଶ ଭାବି ବର୍ତ୍ତମାନର ଯୁବପିଢ଼ି ଆଗକୁ ବଢ଼ିବା ଉଚିତ୍‌। ଏହା ହିଁ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ନିତ୍ୟାନନ୍ଦ ଗଣ୍ଡ

-ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ
ବର୍ଗ କଲ୍ୟାଣ ବିଭାଗ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri