ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ): ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍ଏଫସି) ରାଜଶ୍ରୀ ଆରିୟବାଳା ତ୍ରିପାଠୀ ଗୁରୁବାର ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ନିର୍ଯାତିତା ମହିଳାଙ୍କ ସ୍ବାମୀ ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମର ସୀମାଞ୍ଚଳ ମହାରଣା ଓ ଯା’ ଜୟନ୍ତୀ ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାଜିଷ୍ଟ୍ରେଟ ଉଭୟଙ୍କୁ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବେ, ନଚେତ ଅଧିକ ୨ମାସ ଜେଲ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୫ ଜୁନ ୧୨ ତାରିଖରେ ବିଜୟଲଷ୍ମୀ ମହାରଣାଙ୍କୁ ସୀମାଞ୍ଚଳ ବୈଦିକ ରୀତିରେ ବିବାହ କରିଥିଲେ। କନ୍ୟା ପକ୍ଷରୁ ଯୌତୁକ ବାବଦକୁ ସୁନା ଗହଣା, ଟଙ୍କା ଓ ଘରକରଣା ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ବିଜୟଲଷ୍ମୀଙ୍କୁ ସ୍ବାମୀ ଓ ଯା’ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ୨୦୧୮ରେ ବିଜୟଲଷ୍ମୀ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୪୩/୧୮) ରୁଜୁ କରିଥିଲା।
ପରେ ବିଜୟଲଷ୍ମୀଙ୍କ ସ୍ବାମୀ ଏବଂ ଯା’ଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟରେ ଚାର୍ଜଶିଟ ଦାଖଲ କରାଯାଇଥିଲା। ମାମଲାର ବିଚାର ବେଳେ ୧୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏପିପି ସୁରେନ୍ଦ୍ରନାଥ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।