ଭୁବନେଶ୍ୱର,୮।୮: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାସ୍ଥ କୋଟିଆର ୨୧ଟି ଗାଁରେ ଚାଲିଛି ଏକ ଅଜଣା ଦ୍ବୈତ ଶାସନ। ଏହି ଅଞ୍ଚଳର ବାସିନ୍ଦାମାନେ ଦୁଇ ରାଜ୍ୟରୁ ମିଳୁଥିବା ସୁବିଧାରୁ ଡବଲ୍ ଫାଇଦା ଉଠାଉଛନ୍ତି। ଯେଉଁ ରାଜ୍ୟରୁ ଅଧିକ ସୁବିଧା ମିଳୁଛି, ସେପଟକୁ ଗ୍ରାମବାସୀଙ୍କ ଝୁଙ୍କିବା ଏକ ସାଧାରଣ ଦୃଶ୍ୟ ହୋଇଯାଇଛି। ଏହା ଫଳରେ ଦୁଇ ରାଜ୍ୟ ମଧ୍ୟରେ କୋଟିଆବାସୀଙ୍କ ମନ ଜିଣିବା ପାଇଁ ଏକ ଅଘୋଷିତ ପ୍ରତିଯୋଗିତା ଚାଲିଛି।
ଓଡ଼ିଶା ସରକାର କୋଟିଆରେ ରାସ୍ତାଘାଟ, ଡାକ୍ତରଖାନା, ସ୍କୁଲ, ଥାନା ଆଦି ନିର୍ମାଣ କରି ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କଥା ହେଲା, ଆଧାର କାର୍ଡ ନଥିଲେ ବି କୋଟିଆବାସୀ ‘ସୁଭଦ୍ରା’ ଭଳି ଯୋଜନାରେ ସାମିଲ ହେଉଛନ୍ତି। ଇ-କେୱାଇସି ବିନା ମଧ୍ୟ ସମସ୍ତ ହିତାଧିକାରୀ ପିଡିଏସ୍ ସୁବିଧା ପାଉଛନ୍ତି। ଏପରିକି ଦୁଇ ରାଜ୍ୟରେ ଭୋଟ୍ ଦେବାରେ କୌଣସି କଟକଣା ନାହିଁ।
ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ମଧ୍ୟ କୋଟିଆବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛି। ଗତକାଲି ରେଡିବାଲସା କେନ୍ଦ୍ରରେ ଆନ୍ଧ୍ର ଯୋଗାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ୫ କିଲୋ ଚାଉଳ, ଖାଇବା ତେଲ, କାବୁଲି ଚଣା, ଦିଆସିଲି ଆଦି ମାଗଣାରେ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ଆନ୍ଧ୍ର ସରକାର ଭଡ଼ା ଘରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ସହ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରୁଛନ୍ତି।
ତେବେ ଓଡ଼ିଶା ସରକାରଙ୍କ ପିଡିଏସ୍ ବ୍ୟବସ୍ଥାରେ କେବଳ ଚାଉଳ ମିଳୁଥିବା ଅଭିଯୋଗ କରିଛନ୍ତି କୋଟିଆବାସୀ। ଏହା ଫଳରେ ଅନେକ ସମୟରେ ଆନ୍ଧ୍ରର ମାଗଣା ସାମଗ୍ରୀ ଆଡ଼କୁ ଗ୍ରାମବାସୀ ଢଳୁଛନ୍ତି। ଦୁଇ ରାଜ୍ୟର ଏହି ପ୍ରତିଯୋଗିତା କୋଟିଆରେ ଏକ ଅଭିନବ ସ୍ଥିତି ସୃଷ୍ଟି କରିଛି, ଯାହା ଅଞ୍ଚଳବାସୀଙ୍କୁ ଦୁଇଆଡ଼ୁ ସୁବିଧା ଦେଉଛି। ତଥାପି, ଏହି ଦ୍ବୈତ ଶାସନର ସ୍ଥାୟୀ ସମାଧାନ ପାଇଁ ସମସ୍ତଙ୍କ ନଜର ରହିଛି।