Bhubaneswar: Senior Biju Janata Dal (BJD) leader and seven-time legislator Surjya Narayan Patro was elected uncontested as the Speaker of the 16th Odisha Legislative Assembly, in Bhubaneswar on June 1, 2019. (Photo: IANS)
ଭୁବନେଶ୍ୱର,୪।୧୦(ବ୍ୟୁରୋ): ବିଧାନସଭାରେ ବିଧାୟକମାନେ ଉଠାଉଥିବା ପ୍ରସଙ୍ଗ ଏବଂ ସେମାନଙ୍କ କଥାକୁ ଗଣମାଧ୍ୟମରେ ବିଭ୍ରାନ୍ତିକର କରି ପ୍ରକାଶ ନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିବସରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଣିଥିବା ସ୍ବାଧିକାର ଭଙ୍ଗ ନୋଟିସ ପ୍ରସଙ୍ଗରେ ରୁଲିଂ ଦେଇ ବାଚସ୍ପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ଯାହା ଆଲୋଚନା ହେଉଛି ତାହାକୁ ବିଭ୍ରାନ୍ତ କରି ଏକ ଗଣମାଧ୍ୟମ ସଂସ୍ଥା ପ୍ରକାଶ କରିଥିବା ମିଶ୍ର ଅଭିଯୋଗ କରିଥିଲେ। ବଲାଙ୍ଗୀର ଜିଲାରେ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ପ୍ରସଙ୍ଗ ସେ ବାରମ୍ବାର ଉଠାଇଥିଲେ ମଧ୍ୟ ଜଣେ ଖବରଦାତା ଉଦ୍ଦେଶ୍ୟମୂଳକଭାବେ ତାହାର ଓଲଟା ଖବର ପ୍ରକାଶ କରିଛନ୍ତି। ଗୃହରେ ସେ କୋଭିଡ୍ ପ୍ରସଙ୍ଗ ନ ଉଠାଇ ଅନ୍ୟ ପ୍ରସଙ୍ଗ କଥା ଉଠାଉଥିବା ସମ୍ପୃକ୍ତ ଖବରଦାତା ଜଣକ ନିଜ ଖବରକାଗଜରେ ଲେଖିଛନ୍ତି। ତେବେ ବିଧାନସଭାକୁ ନ ଆସି ମଧ୍ୟ ସମ୍ପୃକ୍ତ ଖବରଦାତା କିପରି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଲେଖୁଛନ୍ତି। ଏହାଦ୍ୱାରା ଗୃହର ସ୍ବାଧିକାର ଭଙ୍ଗ ହୋଇଥିବା ମିଶ୍ର କହିଥିଲେ। ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ତାଗିଦ୍ କରି ବାଚସ୍ପତି କହିଥିଲେ, ଗୃହକୁ ଆସୁଥିବା ଖବରଦାତାମାନେ ଠିକ୍ ଖବର ପ୍ରସାରଣ କରନ୍ତୁ। ବାହାରେ ଥିବା ଖବରଦାତା ଗୃହ ବିବରଣୀ ପ୍ରକାଶ କରିବାରୁ ନିବୃତ ରହିବାକୁ ବାଚସ୍ପତି କହିଥିଲେ। ନଚେତ୍ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି।