ଓ୍ବାଶିଂଟନ୍,୨୪।୧: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡରେ ଅଛନ୍ତି। ପ୍ରଥମେ ସେ ଅନେକ ବଡ଼ ଘୋଷଣା କରିଥିଲେ। ଏହା ପରେ ସେ ବିଶ୍ୱ ନେତାମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଇରାନକୁ ଚେତାବନୀ ଦେଇଥିଲେ। ଏହି ସମୟରେ ସେ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କୁ ଭେଟିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।
ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ, ସେ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କ ସହ କଥାବାର୍ତ୍ତା କରିବାକୁ ଯୋଜନା କରୁଛନ୍ତି କି? ଏହାର ଉତ୍ତରରେ ସେ କହିଲେ ଯେ ମୁଁ ତାଙ୍କୁ ନିଶ୍ଚିତ ଭାବରେ ଭେଟିବି। ଟ୍ରମ୍ପ କିମ ଜଙ୍ଗଙ୍କ ବିଷୟରେ କହିଥିଲେ ଯେ ସେ ଧାର୍ମିକ କଠୋରପନ୍ଥୀ ନୁହଁନ୍ତି।
ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ କିମ ଜଙ୍ଗ ଉନଙ୍କୁ ମଧ୍ୟ ଭେଟିଥିଲେ। ଟ୍ରମ୍ପ ନିଜେ ପ୍ୟୋଙ୍ଗୟାଙ୍ଗ ଯାଇଥିଲେ। ଟ୍ରମ୍ପ ପୂର୍ବରୁ କିମ ଜଙ୍ଗଙ୍କ ସହ ତାଙ୍କର ସମ୍ପର୍କକୁ ଭଲ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, କିମ ଜଙ୍ଗ ଜଣେ ବୁଦ୍ଧିମାନ ଏବଂ ଚତୁର ବ୍ୟକ୍ତି।
କିମ ଜଙ୍ଗଙ୍କ ସହ ସମ୍ପର୍କ ଗଢ଼ିବା ଟ୍ରମ୍ପଙ୍କ ପାଇଁ ସହଜ ନୁହେଁ। ଦକ୍ଷିଣ କୋରିଆ ଆମେରିକାର ଏକ ଘନିଷ୍ଠ ସହଯୋଗୀ, କିନ୍ତୁ ଉତ୍ତର କୋରିଆ ସହିତ ଏହାର ସମ୍ପର୍କ ଭଲ ନୁହେଁ। ଯଦି ଟ୍ରମ୍ପ ଉତ୍ତର କୋରିଆ ସହିତ ସମ୍ପର୍କ ଉନ୍ନତ କରିବା ଆରମ୍ଭ କରନ୍ତି, ତେବେ ଦକ୍ଷିଣ କୋରିଆ ଆମେରିକା ଉପରେ ରାଗିପାରେ।
ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚାଇନା ସହିତ ସମ୍ପର୍କ ଉନ୍ନତ କରିବା ବିଷୟରେ କହିଥିଲେ। ଚାଇନା ସହିତ ଆମେରିକାର ସମ୍ପର୍କ ମଧ୍ୟ ଭଲ ନୁହେଁ। ତଥାପି ଟ୍ରମ୍ପ କହିଥିଲେ, ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ଚାଇନା ସହିତ ସମ୍ପର୍କ ଉନ୍ନତ କରିବା ପାଇଁ, ସେ ଟିକଟକ୍ ଉପରୁ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଉଠାଇ ଦେଇଥିଲେ।


