ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେ ଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ, କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ପାଳିତ କୁକୁର କିମ୍ବା ବୁଲା କୁକୁର ମଣିଷକୁ ସୁରକ୍ଷା ଦେବାରେ କାମ କରିଥାଏ କିନ୍ତୁ ସେହି ବନ୍ଧୁ ଥରେ ଥରେ ଭୁଲିଯାଏ ଯେ, ସେ ମନୁଷ୍ୟର ବନ୍ଧୁ ଓ ଅନେକ ସମୟରେ ମନୁଷ୍ୟକୁ ଆକ୍ରମଣ କରିବାକୁ ପଛେଇ ନ ଥାଏ। ଅନେକ ସମୟରେ ଏହାକୁ ନେଇ ବିଭିନ୍ନ ଖବର ଖବରକାଗଜରେ ଶିରୋନାମା ପାଲଟିଯାଇଥାଏ। ଏବେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ହୋଇଥିବା ବେଳେ କୁକୁରଙ୍କ ଭିଡ଼କୁ ନେଇ ସରକାର ମଧ୍ୟ ଚିନ୍ତା ପ୍ରକଟ ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଉ କୁକୁରଙ୍କୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ କୁକୁରଙ୍କ ପ୍ରତି ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଅସନ୍ତୋଷ ଦେଖାଯାଇଛି।
ଏହି କ୍ରମରେ ବୁଲା କୁକୁର କିମ୍ବା ଅଜଣା କୁକୁରଙ୍କ ଠାରୁ କିଭଳି ଦୂରରେ ରହିବେ ସେନେଇ ବିଦ୍ୟାଳୟଗୁଡ଼ିକରେ ସଚେତନ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଏସମ୍ପର୍କରେ ବୈଠକ କରି ସଚେତନ କରାଯିବା ସହ ଛାତ୍ରୀଛାତ୍ରଙ୍କୁ ନେଇ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଛି। ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନର ପ୍ରଧାନଶିକ୍ଷକ ବିଦେଶୀ ନାୟକଙ୍କ ନେତୃତ୍ୱରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୁକୁର ପ୍ରତି ସାବଧାନ କରାଯିବା ସହ ସେମାନଙ୍କଠାରୁ କିଭଳି ଦୂରତା ବଜାୟ ରଖିବେ ବିଶେଷ କରି ଅଜଣା ଓ ବୁଲା କୁକୁରଠାରୁ ଦୂରରେ ରହିଲେ କ’ଣ ସବୁ ଫାଇଦା ସେ ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। ଏଥିସହ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।