ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍‌

ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଛନ୍ତି। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍‌ସା )ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରିଥିଲେ। ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ ଦୁଇଦିନ ତଳେ ଏସ୍‌ମା ଲାଗୁ କରିଛନ୍ତି। ଡାକ୍ତରୀ ମହାସଂଘ ଏହାକୁ ଖାତିର ନ କରି ଆନ୍ଦୋଳନ ଅବ୍ୟାହତ ରଖିବା ସହ କ୍ୟାମେରା ସାମ୍ନାରେ ନ କହିଲେ ମଧ୍ୟ ପରୋକ୍ଷ ଭାବେ ଯେହେତୁ ସେମାନେ କୌଣସି ଆପାତକାଳୀନ ସେବା (ଇମର୍ଜେନ୍ସି) ପ୍ରଦାନରେ ବ୍ୟାହତ ଘଟାଇ ନାହାନ୍ତି ତେଣୁ ଏସ୍‌ମାର ମୂଲ୍ୟ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ଡାକ୍ତରଙ୍କ ଏହି ଦୁଇଘଣ୍ଟିଆ ଓପିଡି ବନ୍ଦ ଯୋଗୁ ଘଣ୍ଟା ଘଣ୍ଟା ଧରି ରୋଗୀ ଲମ୍ବା ଲାଇନରେ ଅପେକ୍ଷା କରିବା ଦୃଶ୍ୟ ବିପର୍ଯ୍ୟସ୍ତ ରୋଗୀସେବାର ଉଦାହରଣ ସାଜିଛି। ଏଥିନେଇ ରୋଗୀମାନେ ଅସନ୍ତୋଷ ପ୍ରକଟ କରୁଥିବା ଏକ ସାଧାରଣ ଘଟଣା ସାଜିଥିବା ବେଳେ ସରକାର ତୁରନ୍ତ ପ୍ରତିକାର ଜନିତ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି ହେଉଛି।

Dharitri – Odisha’s No.1 Odia Daily