କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର ଡାକ୍ତର ଓ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନା ଅନୁସାରେ ସକାଳ ୮ ଘଣ୍ଟା ସମୟରେ ମେଡ଼ିକାଲ ଅଫିସରଙ୍କ ବାସଭବନକୁ ୫ଜଣ ଅଚିହ୍ନା ବ୍ୟକ୍ତି ପଶି ତୁମେ ଅଫିସ ନ ଯାଇ ଘରେ କାହିଁକି ରୋଗୀ ଦେଖୁଛ, ହସ୍ପିଟାଲ ଆଉଟଡୋରରେ କେହି ଡାକ୍ତର ନାହାନ୍ତି କହି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ପରେ ଆଉଟଡୋରକୁ ଯାଇ ଡାକ୍ତରମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର କଥା କହି ଧମକଚମକ ଦେଇଥିଲେ। ଏହାକୁ ନେଇ ଡାକ୍ତର, କର୍ମଚାରୀ ସିଡ଼ିଏମ୍ଓଙ୍କୁ ଅବଗତ କରି ଧାରଣାରେ ବସିଥିଲେ। ଏଥିଯୋଗୁ ରୋଗୀସେବା ବ୍ୟାହତ ହୋଇଥିଲା। ଖବର ପାଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନିହାର ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ଡାକ୍ତର, କର୍ମଚାରୀ ଧାରଣାରୁ ଉଠି ନିଜ କାର୍ଯ୍ୟରେ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ ମେଡ଼ିକାଲ ଅଫିସର ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଜ୍ଞା ପ୍ରତିଶ୍ରୁତି ମାଝୀଙ୍କୁ ପଚାରିବାରୁ ମୁଁ ସକାଳ ୮ଟାରେ କ୍ବାର୍ଟର୍ସରେ ଥିବାବେଳେ ହଠାତ୍ ୫ ଜଣ ଅଚିହ୍ନା ଲୋକ ଦୁର୍ବ୍ୟବହାର କରିଥିଲେ। ରୋଗୀ ଦେଖି ୧୦ଟାରେ ଅଫିସ ଯିବି, ଯଦି ଅଭିଯୋଗ କରିବାର ଅଛି କମ୍ପ୍ଲେନ ବାକ୍ସରେ ଦେଇପାରିବେ ବୋଲି କହିଥିଲି। ଆଉଟଡୋର ଡାକ୍ତରଙ୍କୁ ମଧ୍ୟ ବିଭିନ୍ନ କଥା କହିଥିଲେ, ସେଥିପାଇଁ ସିଡ଼ିଏମ୍ଓଙ୍କୁ ଜଣାଇ ଧାରଣାରେ ବସିଥିଲୁ ବୋଲି ପ୍ରକାଶ କରିଥିଲେ।


