ଆନ୍ଦୋଳନକୁ ଏଡ଼ାଇ ଗୁରୁତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଡାକ୍ତର, ନଚେତ୍‌…

କେସିଙ୍ଗା,୭ା୧(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ଆଉଟ୍‌ଡୋରରେ କେବଳ ଏକ ଘଣ୍ଟା ରୋଗୀ ସେବା କରୁଛନ୍ତି। ଆଉଟ୍‌ଡୋର ବନ୍ଦ ହୋଇ ଗଲେ ଦୂର ଦୁରାନ୍ତରୁ ଆସିଥିବା ରୋଗୀମାନେ ନିରାଶରେ ଘରକୁ ଫେରିଯାଉଛନ୍ତି। ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଆଉଟ୍‌ଡୋର ବନ୍ଦ ହେଲା ପରେ କେସିଙ୍ଗାରୁ ପ୍ରାୟ ୩୦ କିମି ଦୂର ରୁପ୍ରା ଗ୍ରାମର ମୋହନ ସାହୁ ଜ୍ୱରରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଆଉଟ୍‌ଡୋର ବନ୍ଦ ହୋଇଯାଇଥିଲା। ହସ୍ପିଟାଲର ଆଡଟ୍‌ଡୋର ସମ୍ମୁଖରେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ କାନ୍ଦୁଥିଲେ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡ.ରବୀନ୍ଦ୍ର ନାଥ ଖଣ୍ଟୁଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରୋଗୀ ମୋହନ ସାହୁଙ୍କୁ ହସ୍ପିଟାଲକୁ ନେଇ ଚିକିତ୍ସା କରିବାରୁ ଜୀବନ ବଞ୍ଚିଯାଇଛି। ନଚେତ ଡାକ୍ତର ନ ଥିଲେ ଜୀବନ ବଞ୍ଚି ନ ଥାଆନ୍ତା।

ଏହି ହସ୍ପିଟାଲ ଉପରେ ଜିଲାର ନର୍ଲା,ଏମ.ରାମପୁର,କରଳାମୁଣ୍ଡା, ବଲାଙ୍ଗିର ଜିଲାର ଲୁଥୁର ବନ୍ଧ,ବାବେଝର, ମହଦା, ବାଲସି, ପରଲସିଙ୍ଗା, ହାତିଖୋଜ ସମେତ ୨୬ଟି ପଞ୍ଚାୟତର ଲୋକେ ପ୍ରାୟ ହଜାର ହଜାର ଲୋକେ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳରୁ ଗର୍ଭବତୀ, ପ୍ରସୂତି ମହିଳାଠାରୁ ବିଭିନ୍ନ ପ୍ରକାର ରୋଗୀ ଏହି ହସ୍ପିଟାଲରେ ଉପରେ ନିର୍ଭର କରିଥାନ୍ତି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଛୁଟିରେ ଥିବାରୁ ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମଗ୍ର ରାଜ୍ୟରେ ଡାକ୍ତରଙ୍କ ୧୮ ଦଫା ଦାବିକୁ ନେଇ ଓସ୍‌ମା ପକ୍ଷରୁ ଆନ୍ଦୋଳନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ( ଏସ୍‌ମା) ଲାଗୁ କରାଯାଇଛି। ଏ ବିଷୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଏକ ନିର୍ଦ୍ଦେଶନାମା ଜାରି କହିଛନ୍ତି ଯେ, ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖ ରାଜ୍ୟ ସରକାର ଡାକ୍ତର, ନର୍ସିଂଅଫିସର, ଫାର୍ମାସୀ ଅଫିସର ସମେତ ହସ୍ପିଟାଲରେ ନିୟୋଜିତ ସମସ୍ତ କର୍ମଚାରୀ, ଡିସ୍‌ପେନ୍‌ସାରୀରେ ଚିକିତ୍ସା ନିଯୁକ୍ତିରେ କାମ ବନ୍ଦ କରି ଆନ୍ଦୋଳନ କରିବାକୁ ନିଷେଧ କରିଛନ୍ତି। ଯାହାଦ୍ବାରା ରାଜ୍ୟର ସ୍ବାସ୍ଥ୍ୟସେବା ଅବ୍ୟାହତ ରହିବ ଏବଂ ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ। କିନ୍ତୁ ଡାକ୍ତରୀ ସଂଘ ପକ୍ଷରୁ କେତେକ ଦାବି ନେଇ ଏବେ ଆନ୍ଦୋଳନ ଚାଲୁ ରହିଛି। ଏହାଦ୍ବାରା ଜନସାଧାରଣ ସ୍ବାସ୍ଥ୍ୟସେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡା. ରବୀନ୍ଦ୍ର ନାଥ ଖଣ୍ଟୁଆଙ୍କୁ ପଚାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ସେବା ନ କରିବା କିମ୍ବା ଡାକ୍ତରଙ୍କ ଧର୍ମ ଆଉ କଣ ରହିବ, ଆନ୍ଦୋଳନକୁ ଡରିବା ତେବେ ରୋଗୀ ମରିଯିବେ ବୋଲି ପ୍ରକାଶ କରିଥିଲେ। ତେଣୁ ରାଜ୍ୟ ସରକାର ଏ ଭଳି ଦୁଃଖଦ ଘଟଣା ଘଟୁଥିବାରୁ ଡାକ୍ତରଙ୍କ ଯଥାଶୀଘ୍ର ସମାଧାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily