ଭଞ୍ଜନଗର, ୧୩।୩ (ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରୋଗୀଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ଜଣେ କାର୍ଯ୍ୟରତ ଡାକ୍ତର ରୋଗୀଙ୍କ ସମ୍ପର୍କୀୟ ଓ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଗୁରୁତର ପୁଅକୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ପୁଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର (Refer) କରିବା ଜରୁରୀ ଥିଲା। ଏହି ସମୟରେ ପରାମର୍ଶ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିବା ବୃଦ୍ଧ ବାପାଙ୍କୁ ଡାକ୍ତର ଜଣକ ହଠାତ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ବଞ୍ଚାଇବାକୁ ଯାଇଥିବା ବୃଦ୍ଧା ସ୍ତ୍ରୀ ମଧ୍ୟ ମାଡ଼ର ଶିକାର ହୋଇଥିଲେ।
ଏହାସତ୍ତ୍ୱେ ଡାକ୍ତର ଜଣଙ୍କ ଓଲଟା ପୋଲିସକୁ ଫୋନ କରି ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ଅସଦ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ପୋଲିସ ଆସି ବୃଦ୍ଧ ବାପାଙ୍କୁ ଥାନାକୁ ଉଠାଇ ନେଇଥିବା ବେଳେ, ବାହାରେ ଆମ୍ବୁଲାନ୍ସରେ ଗୁରୁତର ପୁଅ ଜୀବନ ସହ ସଂଗ୍ରାମ କରୁଥିଲା। ପରେ ମାନବିକତା ଦୃଷ୍ଟିରୁ ପୋଲିସ ବୃଦ୍ଧଙ୍କୁ ଛାଡ଼ିବା ପରେ ପରିବାର ଲୋକେ ପୁଅକୁ ଧରି ବ୍ରହ୍ମପୁର ଯାଇଥିଲେ।
ଏହି ଘଟଣା ପରେ ଭେଜିପୁଟର ଜଣେ ଦିବ୍ୟାଙ୍ଗ ମହିଳା ଚିକିତ୍ସିତ ହେବାକୁ ଯାଇଥିଲେ। ସେ ଫୋନ୍ରେ କଥା ହେଉଥିବା ବେଳେ ଉକ୍ତ ଡାକ୍ତର ରାଗିଯାଇ ତାଙ୍କୁ ଏବଂ ତାଙ୍କ ଭାଣିଜୀଙ୍କୁ ମାରପିଟ କରିଥିଲେ। ଆକ୍ରମଣ ଏତେ ଜୋରଦାର ଥିଲା ଯେ ଭାଣିଜୀଙ୍କ କାନରୁ ସୁନା ରିଙ୍ଗ ଛିଣ୍ଡି କେଉଁଆଡ଼େ ପଡ଼ିଯାଇଥିଲା। ଏନେଇ ଦିବ୍ୟାଙ୍ଗ ମହିଳା ଥାନାରେ ଏତଲା ଦେଇଛନ୍ତି।
ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ଜୀବନାନନ୍ଦ ଜେନାଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଜେ ତଦନ୍ତ କରୁଛନ୍ତି। ଡାକ୍ତର ମଧ୍ୟ ପାଲଟା ଅଭିଯୋଗ କରିଥିବାରୁ, ପୋଲିସ ମେଡିକାଲର ସିସିଟିଭି (CCTV) ଫୁଟେଜ ଯାଞ୍ଚ କରୁଛି। ସିସିଟିଭି ଆଧାରରେ ହିଁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସେବା ଦେବାକୁ ଥିବା ଡାକ୍ତରଙ୍କ ଏଭଳି ଆଚରଣକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।