ବନ୍ଦ ହେବ ଡିଜେ ଗାଡ଼ି: ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୯: ରାଜ୍ୟରେ ଡିଜେ ଗାଡ଼ି ଉପରେ କଟକଣା ଜାରି କରିଛି ରାଜ୍ୟ ପରିବହନ ପ୍ରାଧିକରଣ (STA)। ଗାଡ଼ିର ମୂଳ ଢାଞ୍ଚାରେ ବେଆଇନ ପରିବର୍ତ୍ତନ, ଅତ୍ୟଧିକ ଶବ୍ଦ ଓ ଆଲୋକ ବ୍ୟବସ୍ଥା ବ୍ୟବହାର ବିରୋଧରେ STA ଏକ ସର୍କୁଲାର ଜାରି କରିଛି। ଏହା ସହ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର, ମିକ୍ସର ଓ ଲେଜର ଲାଇଟ୍ କଣ୍ଟ୍ରୋଲର ଭଳି ଅବୈଧ ଉପକରଣ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ ହେବ।

ଏହି ଗାଡ଼ିଗୁଡ଼ିକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ହେଉଥିବାରୁ ଏହାକୁ ରୋକିବା ପାଇଁ STA କଡ଼ା ପଦକ୍ଷେପ ନେବ। ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ଗାଡ଼ିର ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ। ସାର୍ବଜନୀନ ସ୍ଥାନରେ ଏଭଳି ଗାଡ଼ିର ବେଆଇନ ବ୍ୟବହାରକୁ ରୋକିବା ପାଇଁ ପୋଲିସ ବିଭାଗର ସହଯୋଗ ମଧ୍ୟ ଲୋଡ଼ିଛି STA।

ପାର୍ବଣ ଋତୁରେ ଏଭଳି ଅସୁରକ୍ଷିତ ଡିଜେ ଗାଡ଼ି ବ୍ୟବହାର ନକରିବାକୁ ସାଧାରଣରେ ଅନୁରୋଧ କରାଯାଇଛି। ସମସ୍ତ RTOଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଜେ ଗାଡ଼ି ଜବତ ଓ ଆଇନଗତ ପଦକ୍ଷେପ ନେବାକୁ STA ନିର୍ଦ୍ଦେଶ ଦେଇଛି। ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Share