ଭଦ୍ରକ/ତିହିଡ଼ି,୧୫ା୪(ସନାତନ ରାଉତ/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଆସୁଥିବା ଡିଜେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୭ ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ବ୍ଲକ୍ ଅଧୀନ ଆରସା ଗ୍ରାମର ଶରତ ମହାଳିକ (୩୪) ଓ ହାଟୁଆରି ଗ୍ରାମର ମୁନା ମଳିକ(୩୦)। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଆହତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ସୋମବାର ମହାବିଷୁବ ସଂକ୍ରାନ୍ତି ଅବସରରେ ବିଭିନ୍ନ ଗ୍ରାମରୁ ପାଟୁଆ ଦଳ ଶୋଭାଯାତ୍ରାରେ ତିହିଡ଼ିସ୍ଥିତି ମା’ କଣ୍ଟି ମଙ୍ଗଳପୀଠକୁ ଆସୁଥିଲେ। ଏକ ପାଟୁଆ ଦଳ ଡିଜେ ବଜାଇ ଶୋଭାଯାତ୍ରାରେ ଆସୁଥିଲା। ରାତି ପ୍ରାୟ ୧୦ଟା ମଧ୍ୟରେ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଡିଜେ ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା। ପାଟୁଆ ଯାତ୍ରା ଦେଖିବା ପାଇଁ ଆସିଥିବା ଶରତ ଓ ମୁନା ଡିଜେ ସଂସ୍ପର୍ଶରେ ଆସିଥିଲେ। ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଶରତଙ୍କ ସାଙ୍ଗରେ ଆସିଥିବା ୨ ଝିଅ ଏବଂ ମୁନାଙ୍କ ସାଙ୍ଗରେ ଆସିଥିବା ଝିଅଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ସମସ୍ତଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଡିଜେ ବହୁତ ଉଚ୍ଚ ଥିବା କାରଣରୁ ଅଘଟଣ ଘଟିଥିବା କୁହାଯାଉଛି। ମାତ୍ର ବିଦ୍ୟୁତ୍ ତାର ବି କମ୍ ଉଚ୍ଚତାରେ ଝୁଲି ରହିଥିବାରୁ ବିଭାଗର ଅବହେଳାକୁ ଦାୟୀକରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୁତୟନ ଅଛନ୍ତି। ଖବର ପାଇ ଜିଲାପାଳ ଦିଲୀପ ରାଉତରାଏ ମେଡ଼ିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏଥିସହ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ଘଟଣା ବିଷୟରେ ଅବଗତ ହେବା ପରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।