ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼ ସହର ଉପକଣ୍ଠ ହଲଦିପାଲି ଛକକୁ ପହଞ୍ଚିଥିଲା। ଅନେକ ଦିବ୍ୟାଙ୍ଗ ସେଠାରେ ସମବେତ ହୋଇଥିଲେ। ମାତ୍ର ସେମାନେ ରାସ୍ତା ଅବରୋଧ କରିବା ପୂର୍ବରୁ ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆସୋସିଏସନର ସଭାପତି ସାନନ୍ଦ ନାଗ କଡା ସମାଲୋଚନା କରିଛନ୍ତି। ପୋଲିସ୍ ସେମାନଙ୍କ ଅଧିକାରକୁ ଅବରୋଧ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ସମୟରେ ଏଭଳି ସ୍ଥିତି ଉପୁଜୁ ନଥିଲା। ମାତ୍ର ଲୋକଙ୍କ ଦାବି, ଅଧିକାର ପୂରଣ ବଦଳରେ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ନୂଆ ଭାଜପା ସରକାର ତାକୁ ଭଣ୍ଡୁର କରିବାକୁ ପୋଲିସ ଲଗାଉଥିବା ସେ କହିଛନ୍ତି। ପ୍ରକାଶ ଥାଉକି, ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଗୁଡ଼ିକୁ ଠିକ୍ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମ ମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମ ମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ପୂର୍ବରୁ ଆସୋସିଏଶନ କରି ଆସୁଥିବା ଦାବି ସମୂହର ପୂରଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖାନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ଦାବିରେ ଉକ୍ତ ଆସୋସିଏସନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଦାବି ପୂରଣ ନ ହେଲେ ମଙ୍ଗଳବାର ରାସ୍ତା ଅବରୋଧ କରିବା ପାଇଁ ଆସୋସିଏସନ ଦାବିପତ୍ରରେ ଚେତାବନୀ ଦେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଫସଲଵୀମା କ୍ଷତିପୂରଣ ଦାବିରେ ଚାଷୀଙ୍କ ରେଲରୋକୋ ଆନ୍ଦୋଳନକୁ ପୋଲିସ ଭଣ୍ଡୁର କରି ଦେଇଥିଲା। ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଉପରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।