ଧୋଇଗଲା ଡାଇଭର୍ସନ ରାସ୍ତା, ସ୍କୁଲରୁ ଘରକୁ ଫେରି ପାରିଲେନି ଛାତ୍ରୀ, କହିଲେ କେମିତି କଟାଇଲେ ରାତି…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଡାଇଭର୍ସନ ରାସ୍ତା ଧୋଇବା ଘଟଣାରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଜଣେ ଛାତ୍ରୀ କେତେ ଭୟଭୀତରେ ଅଜଣା ଲୋକଙ୍କ ସହାୟତାରେ ରାତିଟି ବିତାଇଛନ୍ତି ସେ କଥା ବଖାଣିଛନ୍ତି। ଆଉ ତାଙ୍କୁ ସାହାଯ୍ୟ କରିଥିବା ମହିଳାମାନଙ୍କୁ ସେ ବହୁତ ସାଧୁବାଦ ଜଣାଇଛନ୍ତି।

ପ୍ରକାଶ ଯେ, ପ୍ରତିଦିନ ଭଳି ତିଲୋରୀ ପଞ୍ଚାୟତର ଛାତ୍ରୀ ଦାମିନୀ ନାୟକ ତାଙ୍କ ଗ୍ରାମଠାରୁ ପ୍ରାୟ ୧୦ କିମି ଦୂର ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଘରୁ ବାହାରି ବିଦ୍ୟାଳୟରେ ପହଞ୍ଚିଥିଲେ। ଅପରାହ୍ନ ୪ଟାରେ ବିଦ୍ୟାଳୟ ଛୁଟି ପରେ ଘରମୁହାଁ ହୋଇଥିଲେ ଦାମିନୀ।  ସେ ଆଉ ଗୋଟିଏ କିମି ଦୂରତା ହେଲେ ଘରେ ପହଞ୍ଚିଥାନ୍ତେ କିନ୍ତୁ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇହୋଇ ଯାଇଥିବାରୁ ସେ ସେଠାରେ ନିରାଶ ହୋଇଯାଇଥିଲେ। ଘରକୁ କିଭଳି ଯୋଗାଯୋଗ କରିବେ ଚିନ୍ତାରେ ପଡ଼ିଯାଇଥିଲେ। ସେପଟେ ଲଘୁଚାପ ଜନିତ ବର୍ଷା ପ୍ରବଳ ମାତ୍ରାରେ ହେଉଛି ସନ୍ଧ୍ୟା ନଇଁ ଆସୁଛି କଅଁଳ ବୟସ ଛାତ୍ରୀ ଜଣକ ସେଠାରେ ଭୟଭୀତ ହୋଇପଡ଼ିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମର ୩ ଜଣ ମହିଳା ଦାମିନୀଙ୍କୁ ଦେଖି ପଚାରି ବୁଝିଥିଲେ ଓ ତାଙ୍କୁ ମହିଳାମାନେ ତାଙ୍କ ଘରକୁ ଡାକିଥିଲେ। ଦାମିନୀ ତାଙ୍କୁ ଜାଣି ନ ଥିବାରୁ ପ୍ରଥମେ ଭୟ କରିଥିଲେ ଓ ପରେ ବାଧ୍ୟ ହୋଇ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ମହିଳାମାନେ ତାଙ୍କୁ ଖାଇବାକୁ ଦେଲେ ଏବଂ ତାଙ୍କ ଘର ଲୋକଙ୍କ ସହ ଫୋନ୍‌ରେ କଥା କରାଇ ଦେଇଥିଲେ ଏବଂ ସକାଳୁ ଦାମିନୀଙ୍କ ବାପା ଅନ୍ୟ ରାସ୍ତା ଦେଇ ବୁଲିବୁଲି ଆସି ଝିଅଙ୍କୁ ସାଥୀରେ ନେଇ ଯାଇଥିଲେ। କେବଳ ଦାମିନୀ ନୁହନ୍ତି, ଏଭଳି ଅନେକ ଛାତ୍ରୀଛାତ୍ର ଏଭଳି ହଇରାଣ ଭୋଗିଥିବା ଜଣାପଡ଼ିଛି।

Share