ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର ନ ହୋଇ ଅନ୍ୟ ପଞ୍ଚାୟତରେ ସେଣ୍ଟର ଖୋଲାଯାଇ ସରକାରଙ୍କଠାରୁ ଆସୁଥିବା ଲକ୍ଷାଧିକ ଟଙ୍କାର ଅନୁଦାନ ଅର୍ଥକୁ ହଡ଼ପ କରାଯାଉଥିବାର ଅଭିଯୋଗ ପରେ ଜିଲା ମଙ୍ଗଳଧିକାରିଣୀ ବେଆଇନ ଭାବେ ଚାଲୁଥିବା ଉକ୍ତ ସେଣ୍ଟରକୁ ଶନିବାର ବନ୍ଦ କରିଦେଥିବାର ସୂଚନା ମିଳିଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ।
ସୂଚନାନୁଯାୟୀ, ଭୋଗରାଇ ବ୍ଲକ ଅଧୀନ ଶ୍ରଦ୍ଧାପୁର ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷକ ପୂର୍ବେ ଦିବ୍ୟାଙ୍ଗ ନିମନ୍ତେ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲାଯିବା ନେଇ ଏକ ଏନ୍ଜିଓ ସଂସ୍ଥାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଅନୁଦାନ ଦିଆଯାଇଥିଲା। ଏନ୍ଜିଓ ସଂସ୍ଥା ଉକ୍ତ ପଞ୍ଚାୟତରେ ଫିଜିଓଥେରାପି ସେଣ୍ଟର ନ କରି ହୁଗୁଳି ପଞ୍ଚାୟତ ଚନ୍ଦନେଶ୍ୱରଠାରେ ସେଣ୍ଟର ଖୋଲି ୭୦ ଦିବ୍ୟାଙ୍ଗ ପାଇଁ ଆସୁଥିବା ଅର୍ଥକୁ ହଡ଼ପ କରୁଥିବାର ଅଭିଯୋଗ ହେଉଥିଲା। ସମିତି ସଦସ୍ୟ ଓ ଗ୍ରାମବାସୀ ଗତ ଭୋଗରାଇ ବ୍ଲକ ପରିସରରେ ହୋଇଥିବା ଜନଶୁଣାଣିରେ ଏହି ଅଭିଯୋଗ ଲିଖିତ ଭାବେ ଜିଲା ପ୍ରଶାସନଠାରେ କରିବାରୁ ଗତ ୧ ୩.୧୦.୨୫ରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ଚିଠି କରାଯାଇଥିଲା। ବ୍ଲକ ମଙ୍ଗଳାଧିକାରୀ ତଦନ୍ତରେ ବିଳମ୍ବ ହେବାରୁ ଜିଲା ମଙ୍ଗଳାଧିକାରିଣୀ ପ୍ରଭାତୀ ବେହେରା ଘଟଣାସ୍ଥଳ ଅନୁଧ୍ୟାନ କରି ଉକ୍ତ ବେଆଇନ ସଂସ୍ଥାକୁ ବନ୍ଦ କରିଦେଇଥିବାର ସୂଚନା ମିଳିଛି l ଅପରପକ୍ଷରେ ଏଭଳି ସଙ୍ଗୀନ ଅଭିଯୋଗରେ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ସୁଧାକର ନାୟକ କହିଛନ୍ତି l