ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା ଦେବା ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାୟଗଡ଼ା ନିର୍ବାଚନୀମଣ୍ଡଳୀରେ ଭୋଟ ପାଇଁ ନିର୍ଣ୍ଣାୟକ ସାଜୁଥିବା କାଶିପୁର ବ୍ଲକର ଟାଣୁଆ ନେତା ଅଖିଳ ସାଉନ୍ତାଙ୍କ ପୁଅ ଗଣେଶ ସାଉନ୍ତା ଉପସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଜିଲା ସଭାପତି ଜଗନ୍ନାଥ ସାରକା ଏବଂ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଦଳରେ ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କୁ ଅଣଦେଖା ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି। ରାଜ୍ୟରେ ଶାସନ ଗାଦି ହରାଇଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳରୁ ଏହିଭଳି ଇସ୍ତଫା ଦେବା ବିଜେଡି ଉପରେ ପ୍ରଭାବ ପକାଇବ ବୋଲି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।