ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ କାର୍ଯ୍ୟରେ ଯୋଗଦେଲେ ଜିଲାପାଳ

ପୁରୁଷୋତ୍ତମପୁର,୨୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମର ନୂଆ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ କାର୍ଯ୍ୟରେ ଯୋଗ ଦେବା ଅବସରରେ ସୋମବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ଆସି ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଜିଲାର ବିକାଶ ପାଇଁ ଲୋକଙ୍କୁ ନେଇ କାମ କରିବା, ଜନସାଧାରଣଙ୍କ ଯେଉଁ ସବୁ ଅଭିଯୋଗ ଏବଂ ସମସ୍ୟା ରହିଛି ତାହାକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦେଇ ସମାଧାନ କରିବା ନିମନ୍ତେ ପଦକ୍ଷେପ ନିଆଯିବା ସହ ଜିଲାର ସମସ୍ତ ଜନପ୍ରତିନିଧିଙ୍କ ମତାମତକୁ ନେଇ ଜିଲାର ବିକାଶ ଦିଗରେ ପଦକ୍ଷେପ ନେବେ ବୋଲି କହିଥିବା ବେଳେ ଜିଲାରେ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ତାହା କିଭଳି ସଠିକ୍‌ ସମୟରେ ଶେଷ ହେବ ସେ ନେଇ ପଦକ୍ଷେପ ନିଆଯିବ। ଏଥିଲାଗି ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ କରାଯିବ।

ସେହିପରି ତାରାତାରିଣୀଙ୍କ ପୀଠରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବେଳେ ତାହା ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟମାନ ଯେପରି ଖୁବ୍‌ଶୀଘ୍ର ଶେଷ ହେବା ସହ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି। ଏହି ସମୟରେ ଛତ୍ରପୁର ଉପଜିଲାପାଳ ଡଃ ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଶରତକୁମାର ପାତ୍ରଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Share