ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପଦ୍ମପୁର ସବକଲେକ୍ଟର ଅଫିସ ସମ୍ମୁଖରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉପସ୍ଥିତିରେ ତାଙ୍କ ଗୋଡ଼ ତଳେ ଧାନ ପକାଇ ମୁଣ୍ଡିଆ ମାରି ସମସ୍ତ ଧାନ ତୁରନ୍ତ କିଣିବାକୁ ଅନୁରୋଧ କରିଛନ୍ତି।

ପ୍ରକାଶ ଥାଉକି, ଗତ ଖରିଫ ଋତୁରେ ପଦ୍ମପୁର ଆର୍‌ଏମ୍‌ସିଠାରୁ ୩୦ ଲକ୍ଷ କ୍ୱିଣ୍ଟାଲ ଧାନକିଣା ଯାଇଥିଲା। ଚଳିତ ବର୍ଷ ୯୨ଟି ଧାନକ୍ରୟ କେନ୍ଦ୍ର ଖୋଲା ଯାଇଛି ହେଲେ ୪୨ସେଣ୍ଟର ରେ ଧାନ କିଣା ଆରମ୍ଭ କରାଯାଇନାହିଁ। ବିଭିନ୍ନ ମଣ୍ଡିରେ ୩ ଲକ୍ଷ ପକେଟ ଧାନ ପଡ଼ି ରହିଛି କିନ୍ତୁ କିଣା ହୋଇଛି ମାତ୍ର ୪୦ ହଜାର ପକେଟ୍‌ ଧାନ ୭୦% ଚାଷୀଙ୍କ ଟୋକନ ଏଯାଏ ଆସିନାହିଁ, ଅନେକ ଚାଷୀଙ୍କ ଟୋକନ ଜମି ତୁଳନାରେ ବହୁତ କମ୍‌ ଆସିଛି। କିଛି ଟୋକନ ଜାନୁଆରୀ ମାସରେ ଧାନ ବିକ୍ରି କରିବାର ଧାର୍ଯ୍ୟ ତାରିଖ ଅଛି। ଅଣ ଜଳସେଚିତ ଅଞ୍ଚଳ ପାଇଁ ଏକର ପ୍ରତି ୧୩ କ୍ୱିଣ୍ଟାଲ ଧାନ ବିକ୍ରି ଅନୁମତି ଅଛି। ବଳକା ଧାନ କଣ କରାଯିବ ସରକାରଙ୍କ କିଛି ନିଷ୍ପତ୍ତି ନେଇ ନାହାନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ଧାନ କ୍ୱିଣ୍ଟାଲ ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା ଦିଆ ଯାଉଛି । ଏହି ସବୁ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ ପ୍ରତିଶ୍ରୁତି ବ୍ୟତୀତ କିଛି ସମାଧାନ ହେଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତ। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଆସନ୍ତା ସୋମବାର ଧାନ ପକାଇ ଧାରଣା ଦେବା ପାଇଁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily