ନବରଙ୍ଗପୁର,୧୮।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ମଧୁମିତା ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏସ୍ଏନ୍ସିୟୁ ପରିଦର୍ଶନ କରି ନବରଙ୍ଗପୁରର ହିର୍ଲି ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖ ବୁଦା ମଧ୍ୟରୁ ଶନିବାର ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ଏଥିସହ ଶିଶୁକୁ ଦିଆଯାଉଥିବା ଚିକିତ୍ସା, ଯତ୍ନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ପଚାରି ବୁଝିବା ସହ ଶିଶୁକନ୍ୟାକୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଜିଲାପାଳ ଏସ୍ଏନ୍ସିୟୁର ଭିତ୍ତିଭୂମି ଓ ଅନୁସାଙ୍ଗିକ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ। ଏହାପରେ ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ।
ଏହାସହିତ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଏବଂ ଅସହାୟ ଓ ସଙ୍କଟାପନ୍ନ ମହିଳାଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା, ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଆବଶ୍ୟକତା ଥିବା ମହିଳାମାନଙ୍କୁ ସୁରକ୍ଷିତ ଓ ସହଯୋଗପୂର୍ଣ୍ଣ ପରିବେଶରେ ସେବା ଓ ସହାୟତା ଯୋଗାଇଦେବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।

