Posted inUncategorized

ବିପନ୍ନ କୃଷି ଓ ହତାଶ ଚାଷୀ

ବୈକୁଣ୍ଠନାଥ ମିଶ୍ର

 

ଭାରତୀୟ କୃଷି ମୌସୁମୀ ବାୟୁର କ୍ରୀଡ଼ନକ। ଯେଉଁ ବର୍ଷ ମୌସୁମୀ ପ୍ରବାହ ଯେତେ ସୁଗମ ସେ ବର୍ଷ କୃଷି ପାଇଁ ଅନୁକୂଳ ବୋଲି ମନେକରାଯାଏ। ନିଅଣ୍ଟିଆ ବୃଷ୍ଟି କିମ୍ବା ବୃଷ୍ଟିର ପ୍ରାବଲ୍ୟ ସମୁଦାୟ କୃଷକ କୁଳକୁ ଉଚ୍ଛନ୍ନ କରିଦିଏ। ପାଣିପାଗ ବିଭାଗର ମୌସୁମୀ ପ୍ରବାହଜନିତ ଆକଳନ ପ୍ରତି କୃଷକ କ୍ରମେ ବୀତସ୍ପୃହ ହେଲାଣି। ମୌସୁମୀ ଆଗମନର ଚିରାଚରିତ ସମୟ ସାରଣିରେ ବ୍ୟାପକ ପରିବର୍ତ୍ତନ ପରିଦୃଷ୍ଟ। ଏବର୍ଷ ନିର୍ଦ୍ଧାରିତ ସମୟର ପ୍ରାୟ ଏକ ସପ୍ତାହ ପରେ ମୌସୁମୀ କେରଳ ସ୍ପର୍ଶ କଲା ଏବଂ ଓଡ଼ିଶାରେ ନିର୍ଦ୍ଧାରିତ ସମୟର୧୫/୨୦ ଦିନ ପରେ ପ୍ରବେଶ କଲା। ହେଲେ ସ୍ଥାନେ ସ୍ଥାନେ ସାମାନ୍ୟ ବୃଷ୍ଟିକରି କେଉଁଆଡ଼େ ଲୁଚିଗଲା। ଚାଷୀ ବୁଝି ସାରିଲାଣି ଯେ, ବୃଷ୍ଟିପାତ ମୌସୁମୀଜନିତ ନ ହୋଇ କେବଳ ଲଘୁଚାପ ଉପରେ ନିର୍ଭର କରୁଛି। ବୃଷ୍ଟିପାତର ଅନିଶ୍ଚିତତା ଯୋଗୁ ଏ ବର୍ଷ ଓଡ଼ିଶାରେ ବିଶେଷକରି ଉପକୂଳ ଅଞ୍ଚଳରେ ପ୍ରାରମ୍ଭିକ ଚାଷକାର୍ଯ୍ୟ ଘୋର ପ୍ରଭାବିତ ହୋଇଛି। ଧାରା ଶ୍ରାବଣ ଖରା ଶ୍ରାବଣରେ ପରିବର୍ତ୍ତିତ ହୋଇଛି। ତେବେ ଏବେ ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ କିଛି ଆଶ୍ୱସ୍ତ କରିଛି।
୨୦୧୦ରୁ ୨୦୨୩ ମଧ୍ୟରେ ଆମ ରାଜ୍ୟ ୮ଟି ମରୁଡ଼ିର ସମ୍ମୁଖୀନ ହୋଇଛି। ମରୁଡ଼ି ପରିସ୍ଥିତିର ସମ୍ଭାବନା ଦେଖାଦେଲେ ସରକାରୀ ସ୍ତରରେ ବୈଠକ ବସି ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଏ। ଏବର୍ଷ ମଧ୍ୟ ଅନୁରୂପ ବୈଠକ ବସି ସାରିଛି। କୃଷି ବିଭାଗର ପରାମର୍ଶ ହେଲା ସମ୍ଭାବ୍ୟ ମରୁଡ଼ି ପ୍ରତିକାର ପାଇଁ କ୍ଷତିଗ୍ରସ୍ତ ଚାଷୀ ସହଳ କିସମର ବିହନ ବ୍ୟବହାର କରନ୍ତୁ। କିନ୍ତୁ କ୍ଷୋଭ ଓ ପରିତାପର ବିଷୟ ହେଲା କୃଷକ ଯେଉଁ ବିହନ ସଂଗ୍ରହ କରିଥିଲା ତାକୁ କ୍ଷେତରେ ବୁଣିଦେବା ପରେ ଆଉ ବିହନ କ୍ରୟ ପାଇଁ ତା’ପାଖରେ ସମ୍ବଳ ନାହଁି। ଦ୍ୱିତୀୟତଃ ଜୁଲାଇ ଶେଷବେଳକୁ ବିହନ ଗଜା ହେବାର ସମ୍ଭାବନା କ୍ଷୀଣ। ପ୍ରକୃତି ଯେତେବେଳେ ଦାଉ ସାଧିବ କେଉଁ ସରକାର ବା ପ୍ରତିକାର ପାଇଁ ସକ୍ଷମ ହେବ? ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କେବଳ ବୃଷ୍ଟିପାତ ଅନିୟମିତତାକୁ ଯେ ଆମନ୍ତ୍ରଣ କରେ ତା’ ନୁହେଁ; ବ୍ୟାପକ ଫସଲହାନିର କାରଣ ମଧ୍ୟ ସାଜେ। ଓଡ଼ିଶାରେ ଗୋଟିଏ ପଟେ ବୃଷ୍ଟିପ୍ରାବଲ୍ୟ ଓ ଅନ୍ୟପଟେ ବୃଷ୍ଟିହୀନତା ପ୍ରକୃତିର ଭିନ୍ନ ଏକ ରୂପ। ଜୁଲାଇରେ ତାପମାତ୍ର ବୃଦ୍ଧି ବ୍ୟାପକ ଫସଲହାନି ଘଟାଉଛି ଓ କୃଷକର ଆୟ ପ୍ରଭାବିତ ହେବା ଯୋଗୁ ସେ ଘୋର ନୈରାଶ୍ୟ ମଧ୍ୟକୁ ଠେଲି ହୋଇଯାଉଛି। କୃଷକର ମସ୍ତିଷ୍କରେ ସକଳ ବିପରୀତ କ୍ରିୟା ସୃଷ୍ଟି ହେଉଛି। କ୍ରମ ବର୍ଦ୍ଧମାନ ପରିବାର ଖର୍ଚ୍ଚ ଭରଣା କରିବାରେ ଅସମର୍ଥ କୃଷକ ବିଷାଦଗ୍ରସ୍ତ ହୋଇପୁଡଛି। ଫଳରେ ସେ ହିଂସାତ୍ମକ ମାର୍ଗକୁ ଆପଣେଇ ନେଉଛି। ସ୍ଥଳ ବିଶେଷରେ ଆତ୍ମହତ୍ୟାର ମାର୍ଗ ବାଛି ନେଉଛି।
ଏକେତ ଫସଲ ଅମଳ ସନ୍ତୋଷଜନକ ନୁହେଁ; ଦ୍ୱିତୀୟତଃ ସେ ଯେତିକି ଫସଲ ଅମଳ କରୁଛି ତାକୁ ମଧ୍ୟ ଉଚିତ ଦରରେ ବିକ୍ରି କରିପାରୁ ନାହିଁ। ଧାନ କଥା ଦେଖାଯାଉ। ମଣ୍ଡିରେ ନିର୍ଦ୍ଧାରିତ ଦରରେ ଧାନବିକ୍ରି ସମ୍ଭବ ହେଉନାହିଁ। ନାନା ଆଳ ଦେଖାଇ ମିଲର କୁଇଣ୍ଟାଲ ପିଛା ୪ରୁ ୫ କିଗ୍ରା ଧାନ କାଟିନେଉଛି। ଘରୋଇ ବ୍ୟବସାୟୀଙ୍କୁ ଧାନ ବିକ୍ରିରେ ଶତକଡ଼ା ୨୫ରୁ ୩୦ ଭାଗ କ୍ଷତି ସହିବାକୁ ହେଉଛି। ୨୦୧୭ରେ ଓଡ଼ିଶା ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବା ପାଇଁ ଦାବି କରାଯିବ, ତାହା ହେଲା ନାହିଁ। ପୁନର୍ବାର ୨୦୨୨ନଭେମ୍ବର ୨୯ ତାରିଖରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ୩୪୦୦ ଟଙ୍କା ଧାର୍ଯ୍ୟ କରିବାକୁ ଦାବି କରାଗଲା। ମାତ୍ର ଫଳସ୍ବରୂପ ଏବର୍ଷ ଅର୍ଥାତ ୨୦୨୩-୨୪ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୨୧୮୩ ଟଙ୍କା ଧାର୍ଯ୍ୟ ହୋଇଛି। ଏଠାରେ ସ୍ମରଣ କରାଯାଇପାରେ ଯେ ଉପା ସରକାର ଅମଳରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ନିଯୁକ୍ତି କରାଯାଇ ଧାନର ଉପତ୍ାଦନ ଖର୍ଚ୍ଚ ଆକଳନର ବ୍ୟବସ୍ଥା କରାଯାଇଥିଲା। କମିଶନଙ୍କ ସୂତ୍ର ଆଧାରରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରିତ ପାଇଁ ସ୍ଥିର କରିଥିଲେ। ଏଥିରେ କୃଷକ ଆବଶ୍ୟକ କରୁଥିବା ସମସ୍ତ ଖର୍ଚ୍ଚ ଯଥା ସାର, କୀଟନାଶକ, ମୂଲମଜୁରି, ବିହନ କ୍ରୟ, ଜମି ମାଲିକର ଦେୟ, କୃଷି ଉପକରଣ ଇତ୍ୟାଦି ସମସ୍ତ ଖର୍ଚ୍ଚ ଉପରେ ଅନୁମୋଦିତ ସୁଧ ମିଶାଇ ଧାର୍ଯ୍ୟ କରାଯିବ।
ସ୍ବାମୀନାଥନ କମିଶନଙ୍କ ଉପରୋକ୍ତ ସୂତ୍ରବିଶିଷ୍ଟ ସୁପାରିସ ଯଦି ସରକାର ଗ୍ରହଣ କରିଥାନ୍ତେ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି କେବେ ବି ୪ହଜାରରୁ କମ୍‌ ହେବ ନାହିଁ। ଓଡ଼ିଶା ସରକାରଙ୍କ ଦାବି ୨୦୧୭ ଓ ୨୦୨୨ ଯଥାକ୍ରମେ ୨୯୦୦ ଓ ୩୪୦୦ ଟଙ୍କା କମିଶନଙ୍କ ସୁପାରିସ ଅନୁଯାୟୀ ନ ହେଲେ ମଧ୍ୟ ନିହାତି ନିରୁତ୍ସାହଜନକ ନୁହେଁ। କିନ୍ତୁ ଭାରତ ସରକାର ଏ ଦାବିକୁ ଏପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଏ ପର୍ଯ୍ୟନ୍ତ କେବଳ ସରକାରୀ ନୀତି ନିର୍ଘଣ୍ଟର ଏକ ଅଂଶବିଶେଷ ହୋଇରହିଛି। ମାତ୍ର ଏହା କୃଷକର ଆଇନସମ୍ମତ ଅଧିକାରର ମାନ୍ୟତା ପାଇନାହିଁ। ଏହା ପରୋକ୍ଷରେ ସୂଚାଇ ଦେଉଛି ଯେ, ସରକାର ଚାହିଁଲେ କୃଷକର ଫସଲକୁ ସହାୟକ ମୂଲ୍ୟ ବିନିମୟରେ କ୍ରୟ କରିବେ, ନ କରିପାରିବେ ମଧ୍ୟ। କେନ୍ଦ୍ର ସରକାର କୌଣସି ପରିସ୍ଥିତିରେ କୃଷକର ପ୍ରାପ୍ୟକୁ ଆଇନସମ୍ମତ ଭାବେ ସ୍ବୀକୃତି ଦେବାକୁ ଚାହାନ୍ତି ନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଥରେ ଆଇନସମ୍ମତ ହେଲେ ସରକାର ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ କୃଷକକୁ ତା’ର ପ୍ରାପ୍ୟ ଦେବାକୁ ବାଧ୍ୟ ହେବେ। କୃଷି ଓ କୃଷକଙ୍କ ବିରୋଧୀ ବୋଲି କୁହାଯାଉଥିବା ୩ଟି ଆଇନକୁ ସରକାର ପ୍ରତ୍ୟାହାର କରିଥିଲେ ମଧ୍ୟ କୃଷକର ସହାୟକ ମୂଲ୍ୟ ପ୍ରାପ୍ତିର ଦାବିକୁ ଗ୍ରହଣ କରିନାହାନ୍ତି।
ଓଡ଼ିଶା କୃଷକର ଦୁଃଖ ଅବର୍ଣ୍ଣନୀୟ। ବହୁ ସମୟରେ ମରୁଡି ପଦଧ୍ୱନି ଶୁଣାଯାଉଥିବା ବେଳେ ବହୁ ଅଞ୍ଚଳରେ କେନାଲ ମାଧ୍ୟମରେ ଜଣସେଚନ ବାସ୍ତବ ରୂପ ନେଇପାରିନାହିଁ। ଅଗଷ୍ଟ ମାସରେ ବି ଶାଖା କେନାଲଗୁଡିକ ଜଳଶୂନ୍ୟ ଭାବେ ପଡିରହିଛି। ଫସଲ କ୍ଷୟକ୍ଷତିଜନିତ ବୀମା ଏପର୍ଯ୍ୟନ୍ତ ପ୍ରହସନରେ ପରିଣତ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ବାରମ୍ବାର ନାନା କାରଣରୁ ଫସଲ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ବୀମା ରାଶି ପ୍ରଦାନର କୌଣସି ସ୍ଥିରତା ନାହିଁ। ସବୁଠାରୁ ଦୁର୍ଗତିର ସାମ୍‌ନା କରେ ଭାଗଚାଷୀ। ସରକାରୀ ସହାୟତା (ଯଦି କେବେବା ମିଳେ) ଜମି ମାଲିକ ତାକୁ ଚଞ୍ଚକତା କରି ହାତେଇ ନେଉଛି। ଅତଏବ ସବୁଦୃଷ୍ଟିରୁ ଚାଷୀଟି ବିଚରା ହତାଶ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବର୍ଷା କଲେ କୋହଲି-ଗିଲ୍‌: ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଦେଲେ ୭ ବଡ଼ ରେକର୍ଡ

ତିରୁଭାନନ୍ତପୁରମ,୨୮।୯: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ପ୍ରଥମ ୨୦ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ଓପନିଂ ଯୋଡ଼ି ୧୩୫ ରନ୍‌ର ଭାଗିଦାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?