ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଥିବା ବେଳେ ଏହାକୁ ଅବମାନନା କରି ତୁମୁଡିବନ୍ଧ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟରେ ତାଲା ପଡି ବନ୍ଦ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପକ୍ଷେ କୃଷି ଅଧିକାରୀ ଜଣକ କାର୍ଯ୍ୟାଳୟରେ ଉପସ୍ଥିତି ନ ରହି ଗାଁକୁ ଚାଲିଯାଇଥିବା ସୂଚନା ମିଳିଛି l ଏନେଇ କୃଷି ଅଧିକାରୀ ସରୋଜ କୁମାର ଶତପଥୀଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଏହି ଘଟଣାକୁ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ ନିନ୍ଦା କରିବା ସହିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ତୁମୁଡିବନ୍ଧର ଯୁବ ଗୋଷ୍ଠୀ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।