କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଦଶହରା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଦୁଇ ବର୍ଷ ତଳେ ହୋଇଥିବା କାର୍ଯ୍ୟର ଅମାନତ ରାଶି ଉଠାଇବା ପାଇଁ ଛାୟା ଠିକାଦାରମାନେ ଗତ ୩ରୁ ୪ ଦିନ ହେବ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଭାଗୀୟ କାର୍ଯ୍ୟର ବିଲ୍ ଯନ୍ତ୍ରୀଙ୍କ ନାମରେ ହୋଇଥିଲେ ମଧ୍ୟ କାମ ପାଇଁ ଆଗୁଆ ଅର୍ଥ ଛାୟା ଠିକାଦାରମାନେ ଖର୍ଚ୍ଚ କରିଥାନ୍ତି। ବିଡିଓଙ୍କ ଅନୁମୋଦନ ପରେ ବିଲ୍ ବାବଦ ଅର୍ଥ ଯନ୍ତ୍ରୀଙ୍କ କରେଣ୍ଟ ଆକାଉଣ୍ଟକୁ ଯାଇଥାଏ। ଅଡିଟ୍ ସମୟରେ ଆବଶ୍ୟକତା ପଡ଼ିପାରେ ବୋଲି ମୋଟ ବିଲ୍ ଅର୍ଥର ୫ ପ୍ରତିଶତ ଅମାନତ ରାଶି ଭାବେ କାଟି ରଖାଯାଇଥାଏ। ଏବେ ଲୋକାଲ୍ ଫଣ୍ଡ ଅଡିଟ୍ ସରିଯାଇଥିବାରୁ ଏହି ଅମାନତ ରାଶି ଉଠାଇବା ପାଇଁ ଠିକାଦାରମାନେ ଉଦ୍ୟମ କରୁଛନ୍ତି।
ତେବେ ଯେଉଁ ଯନ୍ତ୍ରୀଙ୍କ ଆକାଉଣ୍ଟକୁ ବିଲ୍ ବାବଦ ଅର୍ଥ ଯାଇଥିଲା, ସେମାନଙ୍କ ମଧ୍ୟରୁ କେତେକ ବଦଳି ହୋଇଯାଇଥିବା ବେଳେ ଆଉ କେତେକ ଅବସର ନେଇସାରିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୂର୍ବତନ ଯନ୍ତ୍ରୀଙ୍କୁ ନ ଜଣାଇ ନୂତନ ଭାବେ ଦାୟିତ୍ୱ ନେଇଥିବା ଯନ୍ତ୍ରୀ ଅମାନତ ରାଶି ଉଠାଉଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଛାୟା ଠିକାଦାରମାନେ ନିଜ ଅର୍ଥ ନେବା ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ଯନ୍ତ୍ରୀ ଟଙ୍କା ଫେରାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।
ଏହି ବିବାଦ ସମ୍ପର୍କରେ ଜାଣିବା ପରେ ବିଡିଓ ପ୍ରତୀକ ସାହୁ ଏଥିରୁ ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି।

