ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ ଭିତରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନାନୁସାରେ, ନଦୀକୁ ଗାଁର କିଛି ଲୋକ ରବିବାର ସକାଳେ ଶୌଚ ହେବା ପାଇଁ ଯାଇଥିବା ବେଲେ ନଦୀ ଭିତରୁ ପ୍ରଥମେ ପାଦର ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଲରମ୍ଭା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନଦୀ ଭିତରୁ କିଛି ହାଡ଼ ମିଳିଥିବା ଜଣାପଡ଼ିଛି। ମୃତକ ଜଣକ କିଏ ଓ କିପରି ଏଠାକୁ ତା’ର ଖଣ୍ଡ ବିଖଣ୍ଡ ମୃତଦେହ କେମିତି ଆସିଲା ବର୍ତ୍ତମାନ ରହସ୍ୟ ଘେରରେ ରହିଛି। ଅନ୍ୟ ପଟେ ଗତ ୨ ତାରିଖରେ ବଲାଙ୍ଗୀର ଜିଲା ଲରମ୍ଭା ଥାନା କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ତା’ର କୌଣସି ପତ୍ତା ପାଇପାରୁନାହିଁ। ଏ ଘଟଣା ସମ୍ପର୍କରେ ପୋଲିସର କୌଣସି ସୂଚନା ମିଳିପାରିନାହିଁ।