ବାଲେଶ୍ୱର, ୨।୩( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଚ୍ଛାମୃତ୍ୟୁ ଦାବି ନେଇ ଧାରଣାରେ ବସିଲେ ଦିବ୍ୟାଙ୍ଗ ଯୁବତୀ। ବାଲେଶ୍ୱର ଜିଲା ନୋତିପାଟଣା ଗ୍ରାମର ଚମ୍ପାବତୀ ପଣ୍ଡା ନାମକ ଦିବ୍ୟାଙ୍ଗ ଯୁବତୀ ଧାରଣାରେ ବସିଛନ୍ତି । ଜାଗାବାଡି ସମସ୍ୟା ନେଇ ସେ ଜନପ୍ରତିନିଧି, ପ୍ରଶାସନକୁ ନ୍ୟାୟ ପାଇଁ ବାରମ୍ବାର ଦାବି ଜଣାଇଛନ୍ତି । ତାଙ୍କ ଘରର ପ୍ରବେଶ ପଥରେ ପଡୋଶୀ ଜାଗା ଛାଡୁ ନଥିବାରୁ ସେ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ, ଜିଲାପାଳ, ଏସପିଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ହେଁ ନଅ ବର୍ଷ ଧରି ସେ ନ୍ୟାୟ ପାଇବାରୁ ବଞ୍ଚିତ ଥିବା କହିଛନ୍ତି । ବାଧ୍ୟ ହୋଇ ଇଚ୍ଛା ମୃତ୍ୟୁ ଦାବିରେ ସେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି।

