ଭୁବନେଶ୍ୱର, ୧୭।୪(ସୁନିତ୍ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି। କଂଗ୍ରେସର ୩ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ କ୍ରସ୍ ଭୋଟିଂ କରିଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି। ସେହିପରି ବିଜେଡିର ୮ ବିଧାୟକ କ୍ରସ୍ ଭୋଟିଂ କରିଥିବା ବିଜେଡି ଏଜେଣ୍ଟ ତଥା ବିଧାୟକ ପ୍ରତାପ କେଶରୀ ଦେବ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବାନୁଯାୟୀ, ବିଜେଡି ବିଧାୟକ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ସୌଭିକ ବିଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା କ୍ରସ୍ ଭୋଟିଂ କରିଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ର ଦଳୀୟ ହୁଇପ୍କୁ ନ ମାନି ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଦିଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇଥିବା ପ୍ରତାପ କହିଛନ୍ତି। ଫଳରେ କଂଗ୍ରେସ ଏବଂ ବିଜେଡିର ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ଯୋଗୁ ଦିଲୀପ ସହଜରେ ବିଜୟୀ ହୋଇପାରିଛନ୍ତି।
ନିଲମ୍ବିତ ୨ ବିଧାୟକ ସନାତନ ଏବଂ ଅରବିନ୍ଦ କ୍ରସ୍ ଭୋଟିଂ କରିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ସେହିପରି ଚକ୍ରମଣି କହଁର ଏବଂ ନବ କିଶୋର ମଲ୍ଲିକ ମଧ୍ୟ ଗତ ୩ ଦିନ ହେଲା ଦଳ ସହିତ ଯୋଗାଯୋଗରେ ନ ଥିଲେ। ଏହି ୨ ବିଧାୟକଙ୍କ ମଧ୍ୟରୁ ଚକ୍ରମଣି କହଁର ଭୋଟ୍ ଦେବା ପରେ ଗଣମାଧ୍ୟମ ପକ୍ଷରୁ ଯେତେବେଳେ କାହାକୁ ଭୋଟ୍ ଦେଲେ ବୋଲି ପଚରାଗଲା ସେ ଦୌଡ଼ିବା ଆରମ୍ଭ କରିଥିଲେ। ଏପରି କି ସୌଭିକଙ୍କୁ ମଧ୍ୟ ଦଳ ତରଫରୁ ଅନେକ ବୁଝାଶୁଝା କରିବା ସତ୍ତ୍ୱେ ସେ ଶେଷ ପର୍ଯ୍ୟନ୍ତ ଦଳୀୟ ବୈଠକକୁ ଆସୁ ନ ଥିଲେ। ତେଣୁ ତାଙ୍କ ଭୋଟ୍ ମଧ୍ୟ ଦଳ ସମର୍ଥନରେ ଠିଆ ହୋଇଥିବା ସ୍ବାଧୀନ ପ୍ରାର୍ଥୀ ଡା. ଦତ୍ତେଶ୍ୱର ହୋତାଙ୍କୁ ମିଳିବନି ବୋଲି ବିଜେଡି ଅନୁମାନ କରୁଥିଲା।
ସବୁଠାରୁ କୌତୂହଳର ବିଷୟ ଥିଲା, ଦେବୀରଞ୍ଜନ, ସୁବାସିନୀ ଏବଂ ରମାକାନ୍ତଙ୍କ କ୍ରସ୍ ଭୋଟିଂ କରିବାର ଶୈଳୀ। ଏହି ୩ ଜଣ ଭୋଟିଂ ପୂର୍ବ ପର୍ଯ୍ୟନ୍ତ ଅନ୍ୟମାନଙ୍କ ଭଳି ନବୀନ ନିବାସ ଯାଉଥିଲେ, ଦଳ ସହିତ ଯୋଗାଯୋଗରେ ରହିଥିଲେ। ଶ୍ରୀମନ୍ଦିରରୁ ନବୀନ ନିବାସକୁ ରବିବାର ଆସିଥିବା ଜଗନ୍ନାଥଙ୍କ ନାକଚଣା ମଧ୍ୟ ଛୁଇଁ ଏହି ୩ ବିଧାୟକ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ପ୍ରତିଜ୍ଞା କରିଥିଲେ। ମାତ୍ର ଦେବୀ, ସୁବାସିନୀ ଏବଂ ରମାକାନ୍ତ ତାଙ୍କ ପ୍ରଥମ ପସନ୍ଦ ଭୋଟ୍ ଦିଲୀପଙ୍କ ସପକ୍ଷରେ ଦେଇ ବାହାରକୁ ଆସିଥିଲେ। ଏହାପରେ ଦେବୀ ରଞ୍ଜନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ଦିଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି। ଅଣକଂଗ୍ରେସ ଆନ୍ଦୋଳନର ନେତୃତ୍ୱ ନେଇଥିବା ସମସ୍ତଙ୍କ ପାଇଁ ସେ ତାଙ୍କ ବିବେକାନୁମୋଦିତ ଭୋଟ୍ ଦେଇଛନ୍ତି। ଯେହେତୁ କଂଗ୍ରେସ ସହ ଅସାଧୁ ମେଣ୍ଟ କରାଯାଇଥିଲା ଏବଂ ତାଙ୍କ ମତାମତ ଲୋଡ଼ା ଯାଇ ନ ଥିଲା ସେଥିଲାଗି ସେ ଦିଲୀପଙ୍କୁ ଭୋଟ୍ ଦେଇଥିବା କହିଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁତ୍ର ବିଧାୟକ ସୌଭିକ ବିଶ୍ୱାଳ ଭୋଟ୍ ଦେବାପରେ ତାଙ୍କ ବାପାଙ୍କୁ ବହିଷ୍କାର କରାଯିବା କଥା ସହିତ ଆହୁରି ଅନେକ ପ୍ରସଙ୍ଗ କହି ବିଜେଡି ଉପରେ ବର୍ଷିଥିଲେ।
କଂଗ୍ରେସ ବିଧାୟକ ରମେଶ ଜେନା ମଧ୍ୟ ଗତ ୩ ଦିନ ହେଲା ଦେଖା ଦେଉ ନ ଥିବା ସତ୍ତ୍ୱେ ଦଳ ତରଫରୁ ତାଙ୍କ ସହ ଯୋଗାଯୋଗ ନ ହୋଇପାରିବା ନେଇ କିଛି କୁହାଯାଉ ନ ଥିଲା। ମାତ୍ର ଦାଶରଥି ଗମାଙ୍ଗଙ୍କ ଅନୁପସ୍ଥିତି ନେଇ ବାରମ୍ବାର କୁହାଯାଉଥିଲା। ଉଭୟ ଦାଶରଥି ଏବଂ ରମେଶ ପାଖାପାଖି ସମୟରେ ଭୋଟ୍ ଦେବାକୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ପହଞ୍ଚିଥିଲେ। ଉଭୟ ଯେତେବେଳେ ଦିଲୀପଙ୍କ ସପକ୍ଷରେ ଭୋଟ୍ ଦେଉଥିବା କଂଗ୍ରେସର ଏଜେଣ୍ଟ ଥିବା ପିସିସି ସଭାପତିଙ୍କୁ ଦେଖାଇଲେ ଭକ୍ତ ଏହାକୁ ବିରୋଧ କରିଥିଲେ। ଭକ୍ତ ନିଜ ସ୍ଥାନରେ ଠିଆ ହୋଇ ଉଭୟ ବିଧାୟକ ଦଳୀୟ ହୁଇପ୍ ମାନି ନ ଥିବାରୁ ସେମାନଙ୍କ ଭୋଟ୍ ନାକଚ ହେଉ ବୋଲି ଦାବି କରିଥିଲେ। ମାତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥ ଗୋପାଳନ ରାଜ୍ୟ ସଭା ଭୋଟିଂରେ ଦଳୀୟ ହୁଇପ୍ ନ ଥିବା ଦର୍ଶାଇ ଉଭୟଙ୍କୁ ଭୋଟ୍ ଦେବାକୁ ସୁଯୋଗ ଦେଇଥିଲେ। ଦାଶରଥି ଏବଂ ରମେଶ ଭୋଟ୍ ଦେଇ ଆସିବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେମାନେ ଯାହାକୁ ଭୋଟ୍ ଦେବା କଥା ଦେଇଛନ୍ତି। ଦଳ ନିର୍ଦ୍ଦେଶ ଅନୁୟାୟୀ ଭୋଟ୍ ଦେଇଥିବା କହି ଚାଲିଯାଇଥିଲେ। ଏହାପରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଦିଲୀପଙ୍କ ସପକ୍ଷରେ ଭୋଟ୍ ଦେବା ସମୟରେ ଭକ୍ତ ଏହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଭକ୍ତ ଦାସ ୩ ଜଣଙ୍କ ନାଁ ନେଇ ବର୍ଷିବା ସହିତ ସେମାନଙ୍କ ସଭ୍ୟ ପଦ ରଦ୍ଦ ଲାଗି ଯାହା ଆଇନଗତ ପଦକ୍ଷେପ ରହିଛି ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମକୁ ଆସି କହିଛନ୍ତି, ଯେଉଁମାନେ ଆଜି କ୍ରସ୍ ଭୋଟିଂ କରିଛନ୍ତି ସେମାନଙ୍କ ବାପାମାନଙ୍କ ନାଁରେ କ୍ରିମିନାଲ ରେକର୍ଡ ରହିଛି ଏବଂ ସେମାନେ ଜେଲ ଯାଇଥିଲେ। ଭାଜପା ଘୋଡ଼ା ବେପାର କରୁଛି ବୋଲି ଯାହା ଅଭିଯୋଗ କରୁଥିଲେ, ତାହା ପ୍ରମାଣିତ ହୋଇଛି। ବିରୋଧୀ ଦଳର ବିଧାୟକମାନଙ୍କୁ ନିଜ ସପକ୍ଷରେ ନେବା ଲାଗି ଭାଜପା ଅସାଧୁ ଉପାୟ ଅବଲମ୍ବନ କରିଛି ବୋଲି ନବୀନ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଏହି ସମସ୍ତ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ କାରଣରୁ ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍) ପକ୍ଷରୁ ମିଳିତ ସ୍ବାଧୀନ ପ୍ରାର୍ଥୀ ହୋତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ବିଜେଡି ଓ କଂଗ୍ରେସର ସଂଖ୍ୟା ଥିବା ସତ୍ତ୍ୱେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦିଲୀପ ରାୟ ବିଜୟ ଲାଭ କରିଛନ୍ତି।