ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ସୁଜିତ୍ କୁମାର(ଭାଜପା), ସଂତୃପ୍ତ ମିଶ୍ର(ବିଜେଡି) ଏବଂ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି । ବିଜୟ ପରେ ମଙ୍ଗଳବାର ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦିଲ୍ଲୀପ।ଦର୍ଶନ ସାରି ଫେରିବା ପରେ ଦିଲ୍ଲୀପ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜିତିଛି। ଓଡ଼ିଶାବାସୀଙ୍କ ସେବା କରିବାକୁ ଶକ୍ତି, ସାହସ ଦେବାକୁ ଭିକ୍ଷା କଲି। କ୍ରସ ଭୋଟିଂ ହୋଇଛି, ତା’ ସହ ମୋ ପ୍ରତି ଭଲ ପାଇବା ଅଛି। ଭାଜପା ଓ ବିଜେଡି ବିଧାୟକଙ୍କ ସହ ମୋର ଭଲ ସମ୍ପର୍କ ଅଛି। ମାସେ, ୨ ମାସ ପୂର୍ବରୁ ମୁଁ ସମସ୍ତଙ୍କ ସହ କଥା ହୋଇଥିଲି। ୨୦୦୨ରେ ଗୋଟେ ସଂଖ୍ୟା ନ ଥିଲା, ଏବେ ୨୦ ଭାଜପା ବିଧାୟକ ସାହାଯ୍ୟ କଲେ। ଜିତିବା ପରେ କାଲି ଶୁଭେଚ୍ଛୁଙ୍କ ଘର ବୁଲିକି ଆସିଛି। ଆଜି ଗୋଟିଏ ଜାଗାରେ ସମସ୍ତଙ୍କୁ ଡାକି ଧନ୍ୟବାଦ ଜଣାଇବି।
ସୂଚନାଯୋଗ୍ୟ, ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ସୋମବାର ସାରେ ଶେଷ ହୋଇଛି। ଏହି ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ସୁଜିତ କୁମାର, ମନମୋହନ ସାମଲ ଏବଂ ଶାସକ ଦଳ ସମର୍ଥନରେ ସ୍ବାଧୀନରେ ଠିଆ ହୋଇଥିବା ଦିଲୀପ ରାୟ ବିଜୟୀ ହୋଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବାବେଳେ ବିରୋଧୀ ଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ହୋଇଥିବା ଡାକ୍ତର ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି। ଚଳିତ ଥର ରାଜ୍ୟ ସଭା ନିର୍ବାଚନ ବହୁ ରୋଚକପୂର୍ଣ୍ଣ ହୋଇଛି । ବିଜେଡିରୁ ୮ ଏବଂ କଂଗ୍ରେସରୁ ୩ଜଣ ବିଧାୟକ କ୍ରସ୍ ଭୋଟିଂ କରି ଦିଲୀପଙ୍କ ସପକ୍ଷରେ ମତଦାନ କରିଥିବା ଉଭୟ ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ବିଜେଡି ବିଧାୟକ ନବ କିଶୋର ମଲ୍ଲିକଙ୍କୁ ନେଇ ବିଧାନସଭା ପରିସର ରଣକ୍ଷେତ୍ର ପାଲଟିଥିଲା। ତେବେ ଆଇନ ତିଆରି କରୁଥିବା ବ୍ୟକ୍ତିମାନେ ଆଇନକୁ ନିଜ ହାତକୁ ନେବା ପାଇଁ ଉଦ୍ୟମ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।