ଦିଗପହଣ୍ଡି ଦୁର୍ଘଟଣା; ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ-ବିଧାୟକ, ରେଡକ୍ରସ ପାଣ୍ଠିରୁ ସହାୟତା ଘୋଷଣା   

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ ୯ ଟାରେ ଯାତ୍ରୀବାହୀ ମିନିବସ ନଂ(ଓ ଆର ୦୭ ଜେ – ୩୩୩୮) ସହ ଶୁଖୁଆ ବୋଝେଇ ପିକ୍ ଅପ୍ ଭ୍ୟାନ ନଂ. ଓଡ଼ି୧୭ ଏଏଫ୍ -୮୨୦୭) ମୁହାଁ ମୁହିଁ ଧକ୍କା ହେବାରୁ ୩୧ ଜଣ  ଆହତ ହୋଇଥିଲେ।  ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୮ ଡାକ୍ତର ନିଯୁକ୍ତ ଥିବା ସତ୍ତ୍ବେ କେବଳ ଦନ୍ତ ଚିକିତ୍ସକ ଡ଼ା.ଅଜିତ କୁମାର ରଥ ଉପସ୍ଥିତ ଥିବାରୁ ଦିଗପହଣ୍ଡି ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା ପ୍ରମୁଖ ବହୁ ସଂଖ୍ୟକ ସାମାଜିକ କର୍ମୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋ ହଲ୍ଲା କରିଥିଲେ ।

ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଖଣି,ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର, ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ବଡ଼ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସାଧୀନ ଆହତମାନଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଜିଲାପାଳ ଗୁରୁତର ଆହତ ମାନଙ୍କୁ ୩୦ ହଜାର ଏବଂ ଅନ୍ୟ ଆହତ ମାନଙ୍କୁ ୨୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ଅନୁକମ୍ପା ମୂଳକ ଚିକିତ୍ସା ସହାୟତା ଦିଆଯିବ ବୋଲି ଘୋଷଣା କରିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily