ଭୁବନେଶ୍ୱର,୬।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନିନ୍ଦା କରିଛନ୍ତି। ଘଟଣାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଦୀଘାକୁ ଜଗନ୍ନାଥ ଧାମ କହିବା ଧାର୍ମିକ ଭାବନାକୁ ଆଘାତ ଦେଉଥିବା ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନା ଯୋଗ୍ୟ, ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନେଇ ଗଜପତି ମହାରାଜା ମୁକ୍ତି ମଣ୍ଡପ ମତକୁ ଆଧାର କରି ଏକ ପ୍ରେସ ରିଲିଜ ଜରିଆରେ ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି।
ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବ ନାହିଁ ବୋଲି ଗଜପତି ମହାରାଜା ପ୍ରେସ ରିଲିଜ ମାଧ୍ୟମରେ ମତ ରଖିଛନ୍ତି। ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରିବା ବାରଣ। ଶ୍ରୀବିଗ୍ରହଙ୍କୁ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ବୋଲି ଗଜପତି ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି।


