ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ଓ ଅଦିତୀୟ ନେତା।  ଓଡ଼ିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଏବେ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାରେ ଆସିଲା ପରେ ନାରୀ ଓ ଶିଶୁ ନିର୍ଯାତନା ବଢିଛି, ଯୁବକ ଓ ଚାଷୀଙ୍କୁ ନ୍ୟାୟ ଦେବାରେ ଏ ସରକାର ବିଫଳ ହୋଇଛି।ଏଣୁ ଆଗାମୀ ୨୦୨୯ରେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଧାୟକ ହିସାବରେ ଅନେକ ଜାଗାକୁ ଅତିଥି ହିସାବରେ ଆମେ ଯାଇଥାଉ। ବଲାଙ୍ଗୀରର ଏକ ଫୁଟବଲ ଟୁର୍ନାମେଣ୍ଟକୁ ମୁଁ ଅତିଥି ଭାବରେ ଯାଇ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶଂସା କରି ମଞ୍ଚ ଓ ମଞ୍ଚ ତଳେ ବାଇଟ୍‌ ଦେବା ସମୟରେ ଉଲ୍ଲେଖ କରିଥିଲି ଯେ, କଳିକେଶ ଜଣେ ଜାତୀୟ ସ୍ତରର ରାଇଫଳ ଖେଳାଳି ଏବଂ ଜାତୀୟ ରାଇଫଳ ଆସୋସିଏଶନର ସଭାପତି ମଧ୍ୟ ଅଛନ୍ତି। ସେ ଜଣେ ଭଲ ପୂର୍ବତନ ଏମ୍‌ପି, ବର୍ତ୍ତମାନର ଯୁବ ବିଧାୟକ ଅଟନ୍ତି। ସେ ଜଣେ ଭଲ ସ୍ପୋଟର୍‌ସ ମ୍ୟାନ ମଧ୍ୟ। ତେଣୁ ଆଗାମୀ ଯୁବପିଢ଼ି ତାଙ୍କୁ ଜଣେ ରୋଲ ମଡେଲ ଭାବରେ ଗ୍ରହଣ କରି ଆଗକୁ ବଢ଼ିପାରିବେ ବୋଲି ମତାମତ ଦେଇଥିଲି। ରାଜ୍ୟ ସ୍ତରରେ ଯୁବକମାନଙ୍କ ନେତୃତ୍ୱ ନେବା ପାଇଁ ତାଙ୍କର ଯଥେଷ୍ଟ ଦକ୍ଷତା ରହିଛି ବୋଲି ପ୍ରଶଂସା କରିବା ସହିତ ତାଙ୍କ ଜେଜେବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଥିଲି। ବଲାଙ୍ଗୀରରେ ଦେଇଥିବା ମୋ ବାଇଟ୍‌ ଓ ଅଭିଭାଷଣକୁ କିଛି ଗଣମାଧ୍ୟମ କଟ୍‌ କରି ଉପସ୍ଥାପନା କରୁଛନ୍ତି। ତେଣୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ମୁଁ କହିବାକୁ ଚାହେଁ ଯେ, ଓଡ଼ିଶାର ସର୍ବମାନ୍ୟ ନେତା ଏବଂ ମୋର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଅଦିତୀୟ ଏବଂ ତାଙ୍କର ମାର୍ଗଦର୍ଶନରେ ଆମେ ସମସ୍ତେ ବିଧାୟକ, ଏମ୍‌ପି, ନେତୃମଣ୍ଡଳୀ ତଥା ସମସ୍ତ ଦଳୀୟ କର୍ମକର୍ତ୍ତା କାମ କରୁଛୁ। ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା ଆଗକୁ ବି ଜାରି ରଖିଥିବ। ବର୍ତ୍ତମାନ ସାମ୍ପ୍ରତିକ ସ୍ଥିତିରେ ଚାଷୀ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଣ୍ଡିରୁ ଧାନ ଉଠିପାରୁ ନାହିଁ । ମହିଳା ଓ ଯୁବକଙ୍କୁ ଆଜି ରାଜ୍ୟରେ ନିଯୁକ୍ତିର ସୁଯୋଗ ନାହିଁ।

ଏହାବ୍ୟତୀତ ଅନେକେ କ୍ଷେତ୍ରରେ ଏ ସରକାର ବିଫଳ ହୋଇଛି। ତେଣୁ ତୃଣମୂଳ ସ୍ତରରେ ଜନ ଆକ୍ରୋଶ ଦିନକୁଦିନ ବଢ଼ିବାରେ ଲାଗିଛି। ଲୋକ ମନସ୍ଥ କଲେଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନମତ ବିଜେଡି ସପକ୍ଷରେ ଯିବା ସହ ୨୦୨୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ଭାଜପା ସରକାରକୁ ଜବାବ ଦେବେ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଆମେ ଯାହା କହିଲେ ବି ଅନ୍ୟ ପ୍ରକାରରେ ଉପସ୍ଥାପନା କରିବାକୁ ପ୍ରଚେଷ୍ଟା କରୁଛନ୍ତି। ଏଣୁ ସେମାନେ ଏଥିରୁ କ୍ଷାନ୍ତ ରହିବାକୁ ଅନୁରୋଧ କରୁଛି ବୋଲି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

Dharitri –Odisha’s No.1 Trusted Odia Daily