ଯାଜପୁର,୨୦ା୬(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଡାଇରିଆରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବଡ଼ଚଣା ବ୍ଲକ ସୋଲର ଗ୍ରାମର ଯଦୁନାଥ ଲେଙ୍କା(୭୩)। ଏହାକୁ ମିଶାଇ ଜିଲାରେ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ଯଦୁନାଥ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ହେଲେ ସେ ଡାକ୍ତରଖାନାକୁ ନ ଯାଇ ସ୍ଥାନୀୟ ଏକ ଦୋକାନରୁ ଔଷଧ କିଣି ଖାଇଥିଲେ। ଗୁରୁବାର ପୁଣି ତାଙ୍କୁ ଝାଡ଼ା ହେବା ସହ ଜ୍ୱର ହୋଇଥିଲା। ଫଳରେ ତାଙ୍କର ରାତି ପ୍ରାୟ ୮ଟା ସମୟରେ ମୃତ୍ୟୁ ଘଟିଛି ା
ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଜିଲାରେ ୧୩୬ ଜଣ ନୂତନ ରୋଗୀ ଆଡମିଟ୍ ହୋଇଥିବା ବେଳେ ୧୫ଜଣଙ୍କୁ ରେଫର କରାଯାଇଛି। ୧୧୦ ଜଣଙ୍କୁ ସୁସ୍ଥ ପରେ ଡିସ୍ଚାର୍ଜ କରାଯାଇଛି ଓ ୧୫୪ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତେବେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)ରେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସି ପାରିନାହିଁ। ଏହି ସିଏଚ୍ସିରେ ଗୁରୁବାର ୬୨ଜଣ ପୁଣି ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ୪୦ଜଣ ରୋଗୀ ଚିକିତ୍ସାଧୀନ ଥିବାବେଳେ ୪ ଜଣଙ୍କୁ ଅନ୍ୟତ୍ର ରେଫର କରାଯାଇଛି। ୧୩ଜଣ ରୋଗୀ ଡିସ୍ଚାର୍ଜ ହୋଇଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ୪୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ତେଣୁ ଜିଲାର ଧର୍ମଶାଳା ଅଞ୍ଚଳରେ ଡାଇରିଆ ଓ ହଇଜା ସଂକ୍ରମଣ ନିୟନ୍ତ୍ରଣ ହୋଇ ନ ପାରିବା ଚିନ୍ତାର କାରଣ ହୋଇଛି।


