ଦେବଗଡ,୨୮।୮(ଶଶାଙ୍କ ଶେଖର ଝାଙ୍କର): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ ଗସ୍ତରେ ଆସି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଗଣେଶ ମେଳା ପରିଦର୍ଶନ କରିବାସହ ଅଗ୍ରପୂଜ୍ୟ ମହାପ୍ରଭୂ ଶ୍ରୀ ଗଣେଶଙ୍କ ଅଶିଷ କାମନା କରିଛନ୍ତି । ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଓ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସାର୍ବଜନୀନ ଗଣେଶ ମେଳା କମିଟୀ (ବଣିକ ସଂଘ)ପକ୍ଷରୁ ଆୟୋଜିତ ଶ୍ରୀ ଗଣେଶ ମେଳା ମଣ୍ଡପରେ ପହଂଚି ମହାପ୍ରଭୁ ଗଣେଶଙ୍କ ଦର୍ଶନ ଏବଂ ଆଳତି କରିଥିଲେ ।
ଏହି ଅବସରରେର ସେ ଦେବଗଡ ଜିଲାବାସୀଙ୍କ ସମେତ ସମଗ୍ର ଦେଶବାସୀଙ୍କ ସୁଖ ସମୃଦ୍ଧି ନମିନ୍ତେ ଆଶିଷ କାମନା କରିଥିଲେ । ଏହାପରେ ସାର୍ବଜନୀନ ଗଣେଶ ମେଳା କମିଟୀର ସଭାପତି ରାଜକିଶୋର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ସାଂସ୍କୃତିକ ମଣ୍ଡପକୁ ଉଦଘାଟନ କରିବାସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଦେବଗଡର ସାମଗ୍ରୀକ ବିକାଶ ପାଇଁ ସବୁବେଳେ ପ୍ରୟାସରତ ଏବଂ ପ୍ରତିଶୃତି ବଦ୍ଧ ବୋଲି ପ୍ରକାଶ କରିଥିଲେ । ଏଥିସହ ର୍ନିମଣାଧିନ ଶ୍ରୀ ଗଣେଶ ମନ୍ଦିର ର୍ନିମାଣ ନିମନ୍ତେ (ପୌର ପରିଷଦ ପକ୍ଷରୁ ଲିଜ ସୂତ୍ରରେ ଆଂଶିକ ଭାବେ ମିଳିଥିବା ବର୍ତମାନର ପୂଜା ମଣ୍ଡପ)କୁ ଆନୁଷ୍ଠାନିକ ଭାବେ କମିଟିକୁ ( ସମଗ୍ର ବଜାର କୋଠା)ହସ୍ତାନ୍ତର କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ଓ ଛେଣ୍ଡିପଦା ବିଧାୟକ ଶ୍ରୀ ବେହେରାଙ୍କ ସମେତ ଦେବଗଡ ଜିଲାପାଳ କବିନ୍ଦ୍ର କୁମାର ସାହୁ, ଜିଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର , ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସାର୍ବଜନୀନ ଗଣେଶ ମେଲା କମିଟୀର ପୂର୍ବତନ ସଭାପତି ଉମାଶଙ୍କର ସାହୁ ସୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ କମିଟୀର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।


