ଭୁବନେଶ୍ୱର, ୨୨ା୧୧(ସୁନିତ୍ ମିଶ୍ର):ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ଐତିହାସିକ ବିଜୟ ପରେ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ବିମାନବନ୍ଦରରେ ଉଚ୍ଛ୍ବସ୍ବିତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଜନସାଧାରଣ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, ବିହାରରେ ଏନ୍ଡିଏ ମେଣ୍ଟର ଅଭୂତପୂର୍ବ ବିଜୟ ପାଇଁ ସେଠାର ଜନସାଧାରଣଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସାଙ୍ଗଠନିକ ଦକ୍ଷତା, ବିହାରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱ ପାଇଁ ଜନସାଧାରଣ ତାଙ୍କୁ ପୁଣିଥରେ ଆଶୀର୍ବାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶ ପାଇଁ ପୂର୍ବୋଦୟର କଳ୍ପନା କରିଛନ୍ତି। କାରଣ ପୂର୍ବ ଭାରତର ବିକାଶ ନ ହେଲେ ଭାରତର ବିକାଶ ହେବନାହିଁ। ବିହାରରେ ପୁଣି ଥରେ ଏନ୍ଡିଏ ସରକାର କରି ସେବା କରିବା ଲାଗି ସୁଯୋଗ ପାଇବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବଡ଼ ସ୍ବୀକୃତି। ବର୍ତ୍ତମାନ ଦେଶରେ ଏକ କଲ୍ୟାଣକାରୀ ଶାସନ ପ୍ରଣାଳୀ ଚଲାଇଥିବାରୁ ପ୍ରଧାନମନ୍ତ୍ରୀ ଲୋକଙ୍କର ଆସ୍ଥାଭାଜନ ହୋଇପାରିଛନ୍ତି। କଂଗ୍ରେସର ଦେଶକୁ ବିଭାଜନ କରିବାର ଯେଉଁ ନକାରାତ୍ମକ ରାଜନୀତି ଅଛି, ଏହାକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରପକ୍ଷରେ ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ବହୁତ ବଡ ବ୍ୟବଧାନରେ ବିଜୟ ହୋଇଥିବାରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ସଙ୍ଗୀତର ଏକ ରଙ୍ଗିନ ପରିବେଶ ସୃଷ୍ଟି ହୋଇଥିଲା। କଳାକାରମାନେ ପାରମ୍ପରିକ ପୋଷାକରେ ସଜ୍ଜିତହୋଇ ଘଣ୍ଟ, ଶଙ୍ଖ ଓ ମୃଦଙ୍ଗର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଫୁଲମାଳ, ଉଲ୍ଲାସପୂର୍ଣ୍ଣ ଜୟଧ୍ୱନି ଏବଂ ପଟୁଆରରେ ବିମାନବନ୍ଦର ଅଞ୍ଚଳ ଦୁଲୁକି ଉଠିଥିଲା। ଏହା ବ୍ୟତୀତ ଧର୍ମେନ୍ଦ୍ର ବିମାନବନ୍ଦରରୁ ସିଧାସଳଖ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନକରିବା ସହ ଆଶୀର୍ବାଦ ନେଇଛନ୍ତି।