ସୁନୀତା ନାରାୟଣ ଜଣେ ପ୍ରମୁଖ ଭାରତୀୟ ପରିବେଶବିତ୍। ବର୍ତ୍ତମାନ ସେ ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟ (ସିଏସ୍ଇ)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହ ଅନ୍ତର୍ଜାତୀୟ ପତ୍ରିକା‘ଡାଉନ୍ ଟୁ ଆର୍ଥ’ର ସମ୍ପାଦିକା ଭାବେ କାର୍ଯ୍ୟ କରୁଛନ୍ତି। ପରିବେଶ ସଂରକ୍ଷଣ, ଜଳ ସଞ୍ଚୟ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ସୁନୀତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୯୬୧ରେ ନୂଆଦିଲ୍ଲୀଠାରେ ଜନ୍ମିତ ସୁନୀତା ୧୯୮୨ରେ ସିଏସ୍ଇରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ ସେ ଜଣେ ଅଗ୍ରଣୀ ପରିବେଶବିତ୍ ଅନିଲ ଅଗ୍ରୱାଲଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ସେମାନେ ମିଳିତ ଭାବେ ‘ଷ୍ଟେଟ୍ ଅଫ୍ ଇଣ୍ଡିଆସ୍ ଏନ୍ଭାଇରନ୍ମେଣ୍ଟ’ର ସହ-ସମ୍ପାଦନା କରିଥିଲେ। ଏଥି ସହ ‘ଟୁ-ଓ୍ବାର୍ଡସ୍ ଗ୍ରୀନ୍ ଭିଲେଜେସ୍’ ରଚନା କରିଥିଲେ। ଏହା ସମ୍ପ୍ରଦାୟ-ନେତୃତ୍ୱାଧୀନ ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ ଅଂଶଗ୍ରହଣକାରୀ ଗଣତନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲା। ୧୯୯୩ରେ ସେ ସିଏସ୍ଇର ଡେପୁଟି ଡାଇରେକ୍ଟର ଭାବେ ପଦୋନ୍ନତି ପାଇବା ପରେ ୨୦୦୦ ମସିହାରୁ ଏହାର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ସୁନୀତାଙ୍କ କାର୍ଯ୍ୟ ସାମାଜିକ ନ୍ୟାୟ ସହିତ ପରିବେଶଗତ ପ୍ରସଙ୍ଗଗୁଡ଼ିକୁ ସମନ୍ବିତ କରିବା ଉପରେ ଗୁରୁତ୍ୱ ବହନ କରିଥାଏ। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ପରିଚାଳନା, ପରିମଳ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଦି କ୍ଷେତ୍ରରେ ତାଙ୍କର ଢେର୍ ଅବଦାନ ରହିଛି। ଦଶନ୍ଧି ଧରି ସେ ମୌଳିକ ପରିବେଶଗତ ଏବଂ ସାମାଜିକ ପ୍ରସଙ୍ଗଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି। ବର୍ଷ ବର୍ଷ ଧରି ତାଙ୍କର ସଚେତନତା ଅଭିଯାନର ପରିସର ବୃଦ୍ଧି ପାଇଛି। ପରିବେଶଗତ ସମସ୍ୟା ବ୍ୟତୀତ ସେ ନକ୍ସଲବାଦ, ରାଜନୈତିକ ଦୁର୍ନୀତି, ବ୍ୟାଘ୍ର ଏବଂ ବୃକ୍ଷ ସଂରକ୍ଷଣ ସହିତ ଅନ୍ୟାନ୍ୟ ସାମାଜିକ ସମସ୍ୟା ଉପରେ ମଧ୍ୟ ନିଜର ଗୁରୁତ୍ୱପୂର୍ଣ୍ଣ ମତ ରଖୁଛନ୍ତି।
ପରିବେଶ କ୍ଷେତ୍ରରେ ଏଭଳି ଅବଦାନ ପାଇଁ ତାଙ୍କୁ ୨୦୦୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହ ୨୦୧୬ରେ ତାଙ୍କୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ଭାବେ ଟାଇମ୍-୧୦୦ରେ ଅନ୍ତର୍ଭୁକ୍ତ କରାଯାଇଛି। ସିଏସ୍ଇରେ ନିଜର ନେତୃତ୍ୱ ମାଧ୍ୟମରେ ସୁନୀତା ବୈଜ୍ଞାନିକ ଜ୍ଞାନ, ସାମାଜିକ ସମାନତା ଏବଂ ବ୍ୟବହାରିକ ସମାଧାନରେ ମୂଳ ପରିବେଶବାଦର ଏକ ଦୃଷ୍ଟିକୋଣ ପ୍ରସ୍ତୁତ କରିଛନ୍ତି, ଯାହା ତାଙ୍କୁ ବିଶ୍ୱ ପରିବେଶ ଆନ୍ଦୋଳନରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ପ୍ରମାଣିତ କରିଛି। ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ସେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଉପରେ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ନେଇ ସମ୍ବୋଧିତ କରିବେ।