Dharitri Youth Conclave 2025: ସଚେତନତାର ବାର୍ତ୍ତାବହ,ମିତ୍‌ ସିଜରିଆ

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କ୍ଷେତ୍ରରେ ମିତ୍‌ ସିଜରିଆ ସକ୍ରିୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଆଉ ଖୁବ୍‌ କମ୍‌ ସମୟ ଅବଧି ମଧ୍ୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶହୀଦ ସୁଖଦେବ କଲେଜ ଅଫ୍‌ ବିଜ୍‌ନେସ୍‌ ଷ୍ଟଡିଜ୍‌ର ଦ୍ୱିତୀୟ ବର୍ଷ ଛାତ୍ର। ମିତ୍‌ କ୍ଲାଟ୍‌ ୨୦୨୪ରେ ସର୍ବଭାରତୀୟ ର଼୍ୟାଙ୍କ-୫୪୯ (୯୯.୫%) ଏବଂ ଭାରତୀୟ ଦର୍ଶନ ଅଲିମ୍ପିଆଡ୍‌ରେ ସର୍ବଭାରତୀୟ ର଼୍ୟାଙ୍କ-୧ ପ୍ରାପ୍ତ କରିଛନ୍ତି। ମିତ୍‌ କମନ୍‌ଓ୍ବେଲ୍‌ଥ ୟୁଥ୍‌ କ୍ଲାଇମେଟ୍‌ ଚେଞ୍ଜ ନେଟଓ୍ବର୍କରେ ଭାଗୀଦାରି ଏବଂ ହିତାଧିକାରୀଙ୍କ ଉପାଧ୍ୟକ୍ଷ ଭାବେ ୫୬ଟି ଦେଶ ଏବଂ ୧.୫ ବିଲିୟନ ଯୁବକଙ୍କ ସ୍ବରକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଥିସହ ସେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ୩୦ ବର୍ଷରୁ କମ୍‌ ବୟସର ନେଟଓ୍ବର୍କର ଦକ୍ଷିଣ ଏସିଆର ସବୁଠାରୁ କନିଷ୍ଠ ଶେପର୍‌ଙ୍କ ମଧ୍ୟରୁ ଅନ୍ୟତମ। ୨୦୨୩ରେ ଗ୍ରୀସ୍‌ରେ ହୋଇଥିବା ଅନ୍ତର୍ଜାତୀୟ ଦର୍ଶନ ଅଲିମ୍ପିଆଡ୍‌ ପାଇଁ ଭାରତର ସରକାରୀ ପ୍ରତିନିଧି ଭାବେ ମିତ୍‌ ଯୋଗଦେଇଥିଲେ। ଇଣ୍ଡୋନେସିଆରେ ଅନ୍ତର୍ଜାତୀୟ ଭୂଗୋଳ ଅଲିମ୍ପିଆଡ୍‌ ପାଇଁ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମିତ୍‌ ହେଉଛନ୍ତି ‘ଦି ଇଣ୍ଡିଆନ୍‌ ବିଦ୍ୟାର୍ଥୀ’ ପ୍ରତିଷ୍ଠାତା। ଏହି ଯୁବ ସଂଗଠନ ୨୦ଟି ଦେଶର ୧୫୦ଟି ସହରରେ କାର୍ଯ୍ୟ କରିବା ସହ କ୍ଷମତା- ନିର୍ମାଣ ପଦକ୍ଷେପ ମାଧ୍ୟମରେ ଏହି ସଂଗଠନ ଯୁବକମାନଙ୍କୁ ସଶକ୍ତ କରୁଛି। ସେ ହଲ୍ଟ ପ୍ରାଇଜ୍‌ ଇଣ୍ଡିଆର ଇକୋସିଷ୍ଟମ୍‌ ନିର୍ଦ୍ଦେଶକ ଭାବେ ବିଶ୍ୱର ସର୍ବବୃହତ୍‌ ଛାତ୍ର ଷ୍ଟାର୍ଟଅପ୍‌ ପ୍ରତିଯୋଗିତା ଆୟୋଜନରେ ସହାୟତା କରୁଛନ୍ତି। ଏକାଡେମିକ୍‌ କାଉନ୍‌ସିଲ ଫର୍‌ ଦି ୟୁନାଇଟେଡ ନେଶନ୍ସ ସିଷ୍ଟମ (ଏସିୟୁଏନ୍‌ଏସ୍‌) ଏବଂ ଗ୍ଲୋବାଲ ୟୁଥ୍‌ ବାୟୋଡାଇଭର୍ସିଟି ନେଟ୍‌ୱର୍କ (ଜିଓ୍ବାଇବିଏନ୍‌) ଭଳି ସଂଗଠନ ସହିତ ଜଡ଼ିତ ରହିବା ଏକ ସ୍ଥାୟୀ, ଅନ୍ତର୍ଭୁକ୍ତ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି।
ଚଳିତ ଧରିତ୍ରୀ ଯୁବ ସମ୍ମିଳନୀରେ ମିତ୍‌ ସିଜରିଆ ପ୍ୟାନେଲିଷ୍ଟ ଭାବେ ଯୋଗଦେବା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ସମାଧାନ ଉପରେ ତାଙ୍କର ଅଭିମତ ରଖିବେ। ତାଙ୍କର ଅଂଶଗ୍ରହଣ ପରବର୍ତ୍ତୀ ପିଢ଼ିର ଜଳବାୟୁ ପ୍ରବକ୍ତାଙ୍କୁ ସଶକ୍ତ କରିବ ଏବଂ ବିଶ୍ୱସ୍ତରରେ ପରିବର୍ତ୍ତନକାରୀ ଆନ୍ଦୋଳନ ସୃଷ୍ଟିରେ ସହାୟକ ହୋଇପାରିବ।

Dharitri – Odisha’s No.1 Odia Daily

Share