ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପରେ ଜାମିନ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡ୍‌ରେ ‘ଧରିତ୍ରୀ ଲାଇଭ୍‌’ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ସହ ଗାଡ଼ି କ୍ଷତିଗ୍ରସ୍ତ କରି କ୍ୟାମେରା ଭାଙ୍ଗିବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତଦ୍ୱୟ ହେଲେ ଝାରପଡା ମହାଦେବନଗରରେ ରହୁଥିବା ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକୁଜ ଗ୍ରାମର ସର୍ବେଶ୍ୱର ସ୍ବାଇଁ (୪୧) ଓ କେନ୍ଦୁଝର ଜିଲା ଜଗନ୍ନାଥପୁର ଅଞ୍ଚଳର ଶୁଭକାନ୍ତ ସୁଆର (୩୭)। ରବିବାର ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସୋମବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୪ କୋର୍ଟକୁ ସେମାନଙ୍କୁ ଚାଲାଣ କରାଯାଇଥିବାବେଳେ ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ମାମଲା ଅନୁଯାୟୀ, ଶନିବାର ଖବର ସଂଗ୍ରହ କରି ଦେବୀ ତାଙ୍କ ଟିମ୍‌ ସହ ମଧ୍ୟାହ୍ନ ୧୨ଟାରେ କଟକ-ପୁରୀ ବାଇପାସ୍‌ ରୋଡ୍‌ ଟଙ୍କପାଣିରୁ ଝାରପଡା ରୋଡ୍‌ ଦେଇ ଆସୁଥିଲେ। ଏହି ସମୟରେ ରାସ୍ତା ମଝିରେ ଅଭିଯୁକ୍ତଦ୍ୱୟ ସ୍କୁଟି ଠିଆ କରି ଜାମ୍‌ ସୃଷ୍ଟି କରିଥିଲେ। ରାସ୍ତା ଖାଲି କରିବାକୁ କହିବାରୁ ଚାଳକ ଶୁଣି ନ ଥିଲେ। ଫଳରେ ପୋଲିସକୁ ଜଣାଇବା ପାଇଁ ଦେବୀ ଉକ୍ତ ସ୍କୁଟିର ଫଟୋ ଉଠାଇଥିଲେ। ଏହାପରେ ସେଠାରୁ ଆସିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଦ୍ୱୟ ଗାଡ଼ିକୁ ପିଛା କରି ଅଟକାଇଥିଲେ। ସେମାନେ ଭ୍ୟାନ୍‌କୁ ବିଧାମାରି ଚେପା କରିବା ସହ ଦେବୀଙ୍କୁ ଧକ୍କା ମାରିଥିଲେ। କ୍ୟାମେରାମ୍ୟାନ୍‌ ପଙ୍କଜ ମହାପାତ୍ରଙ୍କୁ ମଧ୍ୟ ଆକ୍ରମଣ ଉଦ୍ୟମ କରିଥିଲେ। ଏଥିସହ ପଥର ପକାଇ ମାରିବାକୁ ଧମକ ଦେଇଥିଲେ। ଦେବୀଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ.୮୪/୨୦୨୫) ରୁଜୁ କରି ଉଭୟଙ୍କୁ ଗିରଫ କରିଥିଲା।

Share