ଭୁବନେଶ୍ୱର,୧୬ା୧୦(ରବିନାରାୟଣ ଜେନା): ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିର୍ଦ୍ଦେଶକୁ ଅବମାନନା କରି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏବେ ଅକଳରେ। ବିଭାଗ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଯେଉଁ ଅଧିକାରୀଙ୍କୁ ନୂଆପଡ଼ାରେ ନିଯୁକ୍ତି ଓ ବଦଳି କରାଯାଇଥିଲା, ସେଥିମଧ୍ୟରୁ ୭ ଜଣଙ୍କ ଆଦେଶକୁ ବୁଧବାର ସ୍ଥଗିତ ରଖାଯାଇଛି। ହେଲେ ୧୩ ତାରିଖରେ ଜାରି ବିଜ୍ଞପ୍ତିରେ ବିଜୟ କୁମାର ମାଝୀଙ୍କୁ ନବରଙ୍ଗପୁରରୁ ନୂଆପଡ଼ା ଖରିଆର ଫିଶ୍ ଫାର୍ମକୁ ଓ ଖରିଆର ଫିଶ୍ ଫାର୍ମରେ ଥିବା ଭବାନୀ ଶଙ୍କର ପଣ୍ଡାଙ୍କୁ କଳାହାଣ୍ଡି ଜିଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟକୁ ଯେଉଁ ବଦଳି କରାଯାଇଥିଲା, ସେନେଇ ବିଭାଗ ପକ୍ଷରୁ କୌଣସି ସ୍ଥଗିତାଦେଶ ବୁଧବାର ଅପରାହ୍ନ ସୁଦ୍ଧା ଜାରି ହୋଇ ନ ଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ମଗାଯାଇଛି। ବିଭାଗ ଏନେଇ କ’ଣ ଉତ୍ତର ଦେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଚଳିତମାସ ୧୩ ଏବଂ ୧୪ ତାରିଖରେ ୩୬୩ ଜଣ ଓଭିଏସ୍ ଏବଂ ମତ୍ସ୍ୟ ଅଧିକାରୀଙ୍କୁ ନୂଆପଡ଼ା ସମେତ ବିଭିନ୍ନ ଜିଲାକୁ ବଦଳି ଓ ପୋଷ୍ଟିଂ କରାଯାଇଥିଲା। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗତ ସୋମବାରଠାରୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହା ପୂର୍ବରୁ ଚଳିତମାସ ୬ ତାରିଖରୁ ସମ୍ପୂଣ୍ଣର୍ର୍ ନୂଆପଡ଼ା ଜିଲାରେ ଆଦର୍ଶ ଆଚରଣବିଧି(କୋଡ୍ ଅଫ୍ କଣ୍ଡକ୍ଟ) ଲାଗୁ ହୋଇସାରିଛି। ନୂଆପଡ଼ା ଜିଲାରେ ଉପନିର୍ବାଚନ ଲାଗି ଆଦର୍ଶ ଆଚରଣବିଧି ବଳବତ୍ତର ରହିଥିବାବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କିଭଳି ଉକ୍ତ ଜିଲାରେ ସଂଖ୍ୟାଧିକ ଭେଟେରିନାରି ଓ ଫିଶେରୀ ସେବା ବର୍ଗର ଅଧିକାରୀଙ୍କୁ ବଦଳି ଓ ପୋଷ୍ଟିଂ କରାଗଲା, ସେନେଇ ବିଭାଗୀୟ ଅଧିକାରୀଙ୍କ ଅଭିଯୋଗକୁ ଆଧାରକରି ‘ଧରିତ୍ରୀ’ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ୧୫ତାରିଖରେ ପ୍ରକାଶ ପାଇଥିଲା। ଏହାକୁ ନେଇ ବୁଧବାର ୭ ଜଣ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ଉପରେ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି ହୋଇଥିଲେ ହେଁ ଆଉ କେତେଜଣ ଅଧିକାରୀଙ୍କ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇନାହିଁ।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ବଦଳି ସ୍ଥଗିତାଦେଶ ମଧ୍ୟରେ ନୂଆପଡ଼ା ଜିଲା ଖରିଆର ବ୍ଲକ୍ରେ କାର୍ଯ୍ୟରତ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଡା. ଶିବାନୀ ସୋନିଙ୍କୁ କଟକ-ବକ୍ସିବଜାର ଭିଏଏସ୍ ରେଫରାଲ ହସ୍ପିଟାଲକୁ ବଦଳି କରାଯାଇଥିବାବେଳେ ବଲାଙ୍ଗୀର ବଙ୍ଗମୁଣ୍ଡାରୁ ଭିଏଏସ୍ ଡା. ସତ୍ୟବ୍ରତ ପରିଡ଼ାଙ୍କୁ ନୂଆପଡ଼ା ଭିଏଏସ୍(ଏମ୍ଭିୟୁ), ପୁରୀ ଗୋପର ଭିଏଏସ୍ ଡା. ସାଗର ସାହୁଙ୍କୁ କୋମନା ବ୍ଲକର ଏଭିଏଏସ୍ ଭାବେ ଏବଂ ନୂଆପଡ଼ା କୋମନା ବ୍ଲକରେ ଥିବା ଡା. ପ୍ରତିଭା ମାଝୀଙ୍କୁ କଳାହାଣ୍ଡି ଏମ୍. ରାମପୁରକୁ ଏଭିଏଏସ୍ ଭାବେ ବଦଳି ନିର୍ଦ୍ଦେଶ ରହିଛି।
ସେହିପରି ବରିଷ୍ଠ ଓଭିଏସ୍ ଡା. ଶମ୍ଭୂପ୍ରସାଦ ସାହୁଙ୍କୁ ବଲାଙ୍ଗୀର ଦେଓଗାଁରୁ ନୂଆପଡ଼ା ଏଡିଭିଓ(ଡିସି) ଭାବେ, ବାଲେଶ୍ୱର ଏସ୍ଡିଭିଓ ଡା. ସୁଖେନ୍ଦୁ ରାୟଙ୍କୁ ନୂଆପଡ଼ା ସିଡିଭିଓ ଏବଂ ନୂଆପଡ଼ା ଏଡିଭିଓ ଡା. ବାଳକୃଷ୍ଣ ଦ୍ୱିବେଦୀଙ୍କୁ ଭୁବନେଶ୍ୱର ଏସ୍ଡିଭିଓ ଭାବେ ବଦଳି ଆଦେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି।