ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ। ଅନ୍ଧବିଶ୍ୱାସ ହେଉଛି, ଯେତେବେଳେ ପ୍ରଚଳିତ ବ୍ୟବସ୍ଥା ପଛରେ କିଛି ସତ୍ୟତା ନ ଥାଏ କିନ୍ତୁ ପରମ୍ପରା, ସଂସ୍କୃତିର ଆଧାରରେ ବ୍ୟକ୍ତି ମନରେ ଭୟ ସୃଷ୍ଟି କରି ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ କରାଯାଏ।

ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପ୍ରଚଳିତ ବିଧିବିଧାନ ବିଶେଷକରି ଖାଦ୍ୟ ଖାଇବାକୁ ନେଇ କେତେକଙ୍କ ବିବାଦୀୟ ମନ୍ତବ୍ୟ, ଆସ୍ଥା ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନଙ୍କୁ ବ୍ୟଥିତ କରେ। ନିକଟରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ମନ୍ତବ୍ୟ ଅନେକ ସଂସ୍କାରପ୍ରେମୀଙ୍କ ମନରେ ଆଘାତ ଆଣିଛି । ପ୍ରତିଷ୍ଠିତ ଓ ତଥାକଥିତ ବିଜ୍ଞ ବ୍ୟକ୍ତିମାନଙ୍କର ଗଣମାଧ୍ୟମରେ ଏପରି ମନ୍ତବ୍ୟ ସାଧାରଣ ଜନତାଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସାଭାବିକ। ଯୁଗ ଯୁଗ ଧରି ଚାଲିଆସୁଥିବା ପାରମ୍ପରିକ ବିଶ୍ୱାସକୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ଆଖ୍ୟା ଦେଇ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ଆଦୌ ସମୀଚୀନ ନୁହେଁ। ମୁନି ଋଷିଙ୍କର ନିର୍ଭୁଲ ଗଣନା ସମ୍ପୂର୍ଣ୍ଣ ସତ୍ୟ ଓ ବିଜ୍ଞାନସମ୍ମତ ଏବଂ ଗ୍ରହଣୀୟ ।ସେହି ଋଷିମାନଙ୍କର ଗ୍ରହଣ ବା ପରାଗ ସମୟରେ ଉପବାସ ରଖିବା ଉପଦେଶଟି କିପରି ଅଗ୍ରହଣୀୟ ଓ ଅନ୍ଧବିଶ୍ୱାସ, ଏହା ବୁଝାପଡେନି।

ମଝିରେ ମଝିରେ ଉପବାସ କରିବା ଶରୀର ପକ୍ଷେ ହିତକର। ଜାପାନର ବିଶିଷ୍ଟ କୋଷ ଜୀବବିଜ୍ଞାନୀ ୟୋସିନୋରୀ ଓହସୁମିଙ୍କ ଗବେଷଣାରୁ ଏହା ସୁସ୍ପଷ୍ଟ। ଅଟୋଫାଗି ପ୍ରକ୍ରିୟା ଉପରେ ଗବେଷଣା ପାଇଁ ତାଙ୍କୁ ୨୦୧୬ ରେ ନୋବେଲ ପୁରସ୍କାର ମିଳିଥିଲା। ଅଟୋଫାଗି ହେଉଛି କୋଷ ମଧ୍ୟରେ ସୃଷ୍ଟ ଏକ ପ୍ରାକୃତିକ ପ୍ରକ୍ରିୟା, ଏହା ଉପବାସ ସମୟରେ ଶରୀରରେ ସଂଗଠିତ ହୋଇଥାଏ। ଏହାଦ୍ୱାରା କୋଷ ଭିତରେ ଥିବା ପୁରୁଣା, କ୍ଷତିଗ୍ରସ୍ତ ଓ ଅକ୍ଷମ ଅଂଶଗୁଡିକର ଅପସାରଣ ସହ ସେଗୁଡିକର ପୁନଃବ୍ୟବହାର ହେତୁ ନୂତନ କୋଷ ସୃଷ୍ଟି ହୁଏ । ଫଳରେ କୋଷର ଦକ୍ଷତା ଓ କାର୍ଯ୍ୟକାରିତା ଶକ୍ତି ବୃଦ୍ଧିପାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି, ଶରୀରରୁ ବିଷାକ୍ତ ପଦାର୍ଥର ଅପସାରଣ, କ୍ଷରିତ ରକ୍ତ ସଞ୍ଚାଳନ, କ୍ୟାନ୍‌ସର ଓ ଡାଇବେଟିସ ପରି ରୋଗକୁ ପ୍ରତିହତ କରିବା ଶକ୍ତି, ରକ୍ତରେ ଶର୍କରା ନିୟନ୍ତ୍ରଣ, ଡିମେନ୍ସିଆ, ପାର୍କିନସନ ଭଳି ରୋଗ ଉପଶମ, ଓଜନ ହ୍ରାସ ପରି ସ୍ବାସ୍ଥ୍ୟଜନିତ ଅନେକ ସୁବିଧା ଅଟୋଫାଗି ପ୍ରକ୍ରିୟାରୁ ମିଳିଥାଏ। ଉପବାସ ସମୟରେ ଶରୀରରେ ସଂଗଠିତ ହେଉଥିବା ଅଟୋଫାଗି ପ୍ରକ୍ରିୟା ଦେହରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ, ଯାହାକି ଉତ୍ତମ ସ୍ବାସ୍ଥ୍ୟ ଓ ସୁସ୍ଥ ଜୀବନ ପାଇଁ ଅପରିହାର୍ଯ୍ୟ।

ମଝିରେ ମଝିରେ ଉପବାସ ରହିବା ଦ୍ୱାରା ପାଚକ ନଳୀକୁ ବିଶ୍ରାମ ମିଳେ। କୋଷ ସୁସ୍ଥ ରହିବା ସହ ଶରୀର ମଧ୍ୟ ସୁସ୍ଥ ରହେ। ଏଥିପାଇଁ ମୁନି ଋଷିମାନେ ଉପବାସକୁ ଧାର୍ମିକ ଭାବନା ସହ ଯୋଡି ଦେଇଥିଲେ। ଧାର୍ମିକ ଭାବନା ରହିଲେ ଲୋକେ ତାହାକୁ ମାନିବେ। ସେଥିପାଇଁ ବୋଧହୁଏ ଏକାଦଶୀ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ଉପବାସ ରହିବା ପାଇଁ କୁହାଯାଇଛି, ଯାହାଦ୍ୱାରା ପ୍ରକାରାନ୍ତରେ ଦେହରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ।

ନୋବେଲ ପୁରସ୍କାର ବିଜେତା, ବୈଜ୍ଞାନିକ ୟୋସିନୋରୀ ଓହସୁମିଙ୍କ ଗବେଷଣାଲବ୍ଧ ତଥ୍ୟ ସାରା ବିଶ୍ୱକୁ ଆଦୃତ କରୁଥିବା ବେଳେ କେତେକ ହାତଗଣତି ବିଜ୍ଞବ୍ୟକ୍ତି ହୁଏତ ଏହି ଆବିଷ୍କାର ବିଷୟରେ ସମ୍ପୂର୍ଣ୍ଣ ଅବଗତ ନାହାନ୍ତି କିମ୍ବା ଜାଣିଶୁଣି ଲୋକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି। ଅନ୍ୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିବାହିତା ମହିଳାଙ୍କର ଚୁଡି ଓ ସିନ୍ଦୂର ବ୍ୟବହାରକୁ ନେଇ ବିତର୍କ ନିନ୍ଦାର ବିଷୟ। ଗୋଟିଏ ଟେଲିଭିଜନ କାର୍ଯ୍ୟକ୍ରମରେ ସେ ତର୍କ କରୁଥାଆନ୍ତି ଯେ ତାଙ୍କ ସ୍ତ୍ରୀ ଚୁଡି ପିନ୍ଧନ୍ତି ନାହିଁ କିମ୍ବା ମଥାରେ ସିନ୍ଦୂର ଲଗାନ୍ତି ନାହିଁ। ଏପରି କି ମନ୍ଦିର ମଧ୍ୟ ଯାଆନ୍ତି ନାହିଁ। ଦେବଦେବୀ କିମ୍ବା ପୂଜାପର୍ବକୁ ବିଶ୍ୱାସ କରନ୍ତି ନାହିଁ। ବିବାହିତା ମହିଳାମାନେ ଚୁଡି ପରିଧାନ କରିବା ଆମ ପରମ୍ପରାରେ ଅଛି । ଚୁଡି ପରିଧାନ ସପକ୍ଷରେ କୁହାଯାଏ ଯେ କାମ କରିବା ସମୟରେ ଚୁଡିର ଘର୍ଷଣ ଯୋଗୁ ହାତରେ ଥିବା ଶିରା ପ୍ରଶିରାରେ ରକ୍ତ ସଞ୍ଚାଳନ ବୃଦ୍ଧିପାଏ। ରକ୍ତ ସଞ୍ଚାଳନର ସୁପ୍ରଭାବ ଶରୀର ଓ ମନ ଉପରେ ପଡିଥାଏ। ଚୁଡି ଘର୍ଷଣରୁ ଉତ୍ପନ ଶବ୍ଦ ତରଙ୍ଗ ଗର୍ଭସ୍ଥ ଶିଶୁର କାନରେ ପଡେ। ଏହାଦ୍ୱାରା ଗର୍ଭସ୍ଥ ଶିଶୁର ଗଠନରେ ସକାରାତ୍ମକ ପ୍ରଭାବ ପଡିଥାଏ। ସେହିପରି ଧାତୁ ନିର୍ମିତ ଚୁଡି (ଯେପରି କି ସୁନା, ରୁପା, କାଂସ୍ୟ) ଚର୍ମର ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏହା ଚର୍ମରେ ଥିବା ବିଷାକ୍ତ ପଦାର୍ଥ ଦୂର କରେ ଏବଂ ଚର୍ମକୁ ସୁନ୍ଦର ଏବଂ ସ୍ବାସ୍ଥ୍ୟଯୁକ୍ତ ରଖେ। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସିନ୍ଦୂର ବହୁତ ଗୁରୁତ୍ୱ ବହନ କରେ। ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହା ସଧବା ନାରୀମାନଙ୍କର ପବିତ୍ରତାର ପ୍ରତୀକ। ଏହା ଦେହରେ ଶକ୍ତି, ମନରେ ସ୍ଥିରତା ଓ ଜୀବନରେ ସୁଖ ଶାନ୍ତି ଆଣିଥାଏ।

ଜାପାନୀ ବୈଜ୍ଞାନିକ ମାସାରୁ ଇମୋଟୋଙ୍କ ପାଣି ଓ ଦେହ ଉପରେ ଗବେଷଣାଲବ୍ଧ ତଥ୍ୟ ଏଠାରେ ପ୍ରାସଙ୍ଗିକ ମନେହୁଏ, ସେ ଦାବି କରିଥିଲେ ଯେ ମନୁଷ୍ୟର ଚିନ୍ତା, ଭାବନା ଓ ଶବ୍ଦର ଅନୁରୂପ ପ୍ରଭାବ ନିଜ ଶରୀରରେ ଥିବା ଜଳ ଉପରେ ପଡେ। ସକାରାତ୍ମକ ଚିନ୍ତା ବା ଭାବନା ଦ୍ୱାରା ଜଳର ସ୍ପଟିକ ସୁନ୍ଦର ରୂପ ନେଇଥାଏ। ନକାରାତ୍ମକ ଚିନ୍ତା, ଶବ୍ଦ ବା ଭାବନା ଜଳର ସ୍ପଟିକକୁ ବିକୃତ କରିଦିଏ। ସ୍ପଟିକର ପରିବର୍ତ୍ତନ ଅନୁସାରେ ବ୍ୟକ୍ତିର ଅନୁଭବ ହୁଏ। ନକାରାତ୍ମକ ଚିନ୍ତାଧାରା ବ୍ୟକ୍ତିର ଆଚାର ବ୍ୟବହାର ଉପରେ ପ୍ରଭାବ ପକାଏ ଓ ଅନୁରୂପ ବକ୍ତବ୍ୟ ଓ ବ୍ୟବହାରର ପରିପ୍ରକାଶ ହୋଇଥାଏ।
ଉପବାସ ଶରୀର ଉପରେ ପ୍ରଭାବ ଏବଂ ଏହା ପଛରେ ଥିବା ବୈଜ୍ଞାନିକ ସତ୍ୟତା ଓ ଅନ୍ୟ ପ୍ରସଙ୍ଗ ଉପରେ ଲୋକମାନଙ୍କ ଆସ୍ଥା, ବିଶ୍ୱାସ, ମତାମତ ଓ ଅନୁଭୂତିକୁ ଅନୁଶୀଳନ କରି ମନ୍ତବ୍ୟ ଦେବା ଦରକାର। ଆମ ପରମ୍ପରା, ସଂସ୍କୃତି ଓ ଆମର ଧାର୍ମିକ ଚେତନାକୁ ବିଶ୍ୱାସ କରିବାକୁ କୌଣସି ବାଧ୍ୟବାଧକତା ନାହିଁ। ଚିରାଚରିତ ପ୍ରଥାକୁ ବିଶ୍ୱାସ ନ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ନିଜସ୍ବ। ଏହାକୁ ଅବିଶ୍ୱାସ ବୋଲି କହିବା, ଅନ୍ଧ ବିଶ୍ୱାସର ଆଖ୍ୟା ଦେଇ, ସେସବୁର ବୈଜ୍ଞାନିକ ସତ୍ୟତା ନ ଜାଣି ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ।

କଳିଙ୍ଗନଗର, ଭୁବନେଶ୍ୱର,
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri